ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ ଏବେ ରାଜ୍ୟରେ ହଇଚଇ । ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା PSOଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ପିଏସଓ ସୁରକ୍ଷାକୁ ନେଇ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ସହ PSOର ଆବଶ୍ୟକ ନାହିଁ ବୋଲି କହିଥିଲେ । ଏହା ଉପରେ ଧୀରେଧୀରେ ମୁହଁ ଖୋଲିଛି ପୋଲିସ ସଙ୍ଘ । ଜଣେ ବ୍ୟକ୍ତିକୁ ନେଇ ପୁରା ପୋଲିସ ବିଭାଗକୁ ଦାୟୀ କରିବା ଠିକ ନୁହଁ ବୋଲି କହିଛନ୍ତି ପୋଲିସ ଆସୋସିଏସନର ସଭାପିତ ଇତିକାନ୍ତ ମହାପାତ୍ର ।
ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ମନ୍ତ୍ରୀଙ୍କ PSO ଥାଇ କିପରି ମନ୍ତ୍ରୀଙ୍କ ଜୀବନ ଚାଲିଗଲା ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏହାରି ଭିତରେ PSO ସୁରକ୍ଷାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିବା ବେଳେ ଏବେ ପୋଲିସ ସଙ୍ଘମାନେ ପ୍ରତିକ୍ରିୟା ରଖିଛନ୍ତି । ଧୀରେଧୀରେ ଗୋଟିଏ ପରେ ଗୋଟିଏ ସଙ୍ଘ ବିରୋଧୀ ଦଳ ନେତାଙ୍କ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । କାରଣ ଜୟନାରାୟଣ ମିଶ୍ର ତାଙ୍କର PSO ଆବଶ୍ୟକ ନାହିଁ ବୋଲି ସେ କହି PSO ଅପସାରଣ କରିଛନ୍ତି । ଆଉ ଏହାକୁ ନେଇ ଏବେ ତୁମ୍ବି ତୁଫାନ ଆରମ୍ଭ ହୋଇଛି।
ପୋଲିସ ଡିଜି ସୁନିଲ ବଂଶଲ ପୂର୍ବରୁ କହିସାରିଛନ୍ତି କାର୍ଯ୍ୟରେ ଅବହେଳା ପାଇଁ ନବ ଦାସଙ୍କ PSOକୁ ନିଲମ୍ବିତ କରାଯାଇଛି ଓ ଏହାର ତଦନ୍ତ ଚାଲିଛି । ଆଉ ଭିଭିଆଇପିଙ୍କ ସୁରକ୍ଷା ନେଇ PSOଙ୍କ ଏସଓପି ଉପରେ ଫୋକସ ଦିଆଯାଉଛି । ଆବଶ୍ୟକ ପଡିଲେ ଏସପିଜିର ମତାମତ ନେଇ ଏହାକୁ ଆହୁରି ମଜଭୁତ ପାଇଁ ପ୍ରୟାସ ଚାଲିଛି । ହେଲେ କେବଳ ବିରୋଧୀ ଦଳ ନେତା ନୁହେଁ ଧୀରେଧୀରେ ଶାସକ ଦଳର ନେତା ମଧ୍ୟ PSOକୁ ନେଇ ପ୍ରଶ୍ନ ଉଠାଇଲେଣି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କୁ ଭୟ ଲାଗୁଛି କାଳେ ତାଙ୍କ PSO ଗୋପାଳ ଦାସ ହୋଇଯିବନି ବୋଲି ସେ କହିଛନ୍ତି ।
ଏହାରି ଭିତରେ ପୋଲିସର ସୁରକ୍ଷା ନେଇ ଏବେ ବିରୋଧୀ ଦଳ ନେତାଙ୍କୁ ବିରୋଧ କରିବା ଦେଖିବାକୁ ମିଳିଲାଣି । ଏପରିକି ପୂର୍ବରୁ କନେଷ୍ଟେବଳ ଓ ହାବିଲଦାର ପୋଲିସ ସଙ୍ଘ ସହ ଅବସରପ୍ରାପ୍ତ ପୋଲିସ ସଙ୍ଘ ପକ୍ଷରୁ ଏନେଇ କଡ଼ା ବିରୋଧ କରିବା ସହ ବିରୋଧୀ ଦଳ ନେତା ତାଙ୍କ କଥା ଫେରାଇ ନିଅନ୍ତୁ ବୋଲି ଦାବି କରିଥିଲେ । ହେଲେ ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ଆସୋସିଏସନର ପୋଲିସ ଅଫିସର । ଏନେଇ ପ୍ରେସମିଟ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ପୋଲିସ ସଂଘର କ୍ଷୋଭ ପ୍ରକାଶ କରିଛି ।