ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ଜେରା ପରେ ତାଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଥିଲା । ଜଗବନ୍ଧୁଙ୍କ ବିରୋଧରେ ମାନବ ଚାଲାଣର ଦଫା ୩୭୦ ଲାଗିଛି । ଏହା ସହ ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ବିରୋଧରେ ପୋଲିସ ସମାନ ଦଫା ଲଗାଇଛି । ଗିରଫ ପରେ ତାଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ଲ୍ୟାପଟପ, ଡାଏରୀ ଓ କିଛି ଡକ୍ୟୁମେଣ୍ଟକୁ ଜବତ କରିଛି ପୋଲିସ । ଅର୍ଚ୍ଚନା ଷଡ଼ଯନ୍ତ୍ରରେ ସ୍ବାମୀ ଜଗବନ୍ଧୁ ସାମିଲ ରହିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅପରାହ୍ନରେ କୋର୍ଟ ଚାଲଣ କରିଥିଲା । କୋର୍ଟରେ ଜଗବନ୍ଧୁର ଜାମିନ ଆବେଦନ ନାକଚ ହେବାପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ଜଗବନ୍ଧୁ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, " ଗତ ୨ ତାରିଖରୁ କେସ ହୋଇଥିଲା । ଯାହା ଅଭିଯୋଗ ଥିଲା ସେହି ଆଧାରରେ ଅର୍ଚ୍ଚନା ନାଗକୁ ଗତ ୬ ତାରିଖରେ ଗିରଫ କରାଯାଇଥିଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିଲା । ଅର୍ଚ୍ଚନା ସ୍ବାମୀ ବିରୋଧରେ ବି ସମାନ ଅଭିଯୋଗ ରହିଛି । ସେ ଅନେକଙ୍କୁ ଡରାଇଛନ୍ତି, ଧମକାଇଛନ୍ତି । ଏହାସହ ଫଟୋ ଭାଇରାଲ ମଧ୍ୟ କରିଥିଲେ । ସେସବୁ ଅଭିଯୋଗକୁ ଆଧାର କରି ଜଗବନ୍ଧୁ ଚାନ୍ଦକୁ ଗିରଫ କରାଯାଇଛି ।"
ତଦନ୍ତ ଆରମ୍ଭ ସମୟରେ ଜଗବନ୍ଧୁଙ୍କୁ ପଚରାଉଚୁରା କରାଯାଇଥିଲା । ଯାହା ପଚରାଯାଇଥିଲା ତାକୁ ଭେରିଫାଏ କରାଯାଇଥିଲା । ପୀଡିତା ଯାହା ତାଙ୍କର ୧୬୫ ରେକର୍ଡ ବେଳେ କହିଥିଲେ ସେସବୁକୁ ଭେରିଫାଏ କରାଯାଇଥିଲା । ତଦନ୍ତରୁ ଜଣାପଡିଲା ଯେ କେସରେ ଜଗବନ୍ଧୁର ମଧ୍ୟ ସମ୍ପୃକ୍ତ ରହିଛି । ସେହି ଆଧାରରେ ତାକୁ ଗିରଫ କରାଯାଇଛି । ଏବେ ଅର୍ଚ୍ଚନା ଜଗବନ୍ଧୁଙ୍କ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଛି । କନେକ୍ଟିଂ ଟ୍ରାଞ୍ଜାକ୍ସନ ଭେରିଫାଏ କରାଯାଉଛି ବୋଲି କହିଛନ୍ତି ଡିସିପି ।