ଭୁବନେଶ୍ବର: ଗଞ୍ଜେଇ ବେପାରୀଙ୍କ ନୂଆ ନୂଆ ଟ୍ରିକ୍ । ସିଗାରେଟ ପରି ବିକ୍ରି ହେଉଛି ଗଞ୍ଜେଇ । ଲୁଚାଛପା ନୁହେଁ ଏବେ ଅବାଧରେ ଗଞ୍ଜେଇ ବିକ୍ରି କରୁଛନ୍ତି ଗଞ୍ଜେଇ ବ୍ୟବସାୟୀ । ସିଗାରେଟ ଆଳରେ ଗଞ୍ଜେଇ ବ୍ୟବସାୟ କରି ମାଲମାଲ ବ୍ୟବସାୟୀ । ଏଭଳି ଢଙ୍ଗରେ ଗଞ୍ଜେଇ ବିକ୍ରିର ସୂଚନା ପାଇବା ପରେ ଛାତ୍ର ବେଶରେ ଯାଇ ଜଣେ ଗଞ୍ଜେଇ ବ୍ୟବସାୟୀକୁ ଖଣ୍ଡଗିରିରୁ ଧରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣକ ଏକ ଶିକ୍ଷାନୁଷ୍ଠାନ କଡ଼ରେ ଚା' ଓ ପାନଦୋକାନ କରି ଗଞ୍ଜେଇ ବ୍ୟବସାୟ ଚଳାଇଥିଲା ।
ଗଞ୍ଜେଇ ବ୍ୟବସାୟୀ ଜଣକ ମାନସ କୁମାର ସାହୁ । ଘର ଜଗତସିଂହପୁର ବୋଲି ପୋଲିସ ସୂଚନା ଦେଇଛି । ସେ ରାୟଗଡ଼ା ଅଞ୍ଚଳରୁ ଗଞ୍ଜେଇ ଆଣି ଏପରି ସିଗାରେଟ ପରି ପ୍ୟାକ୍ କରି ବିକୁଥିଲା । ଏଥିପାଇଁ ଏକ ନେଟୱର୍କ ତିଆରି କରି ଅନ୍ୟ ଦୋକାନୀକୁ କରୁଥିଲା ସପ୍ଲାଏ । ଏନେଇ ପୋଲିସ ସୂଚନା ପାଇବା ପରେ ଛାତ୍ର ବେଶରେ ଯାଇ ସେହି ଦୋକାନରୁ 21 କେଜି ଗଞ୍ଜେଇ ସହ 1ଲକ୍ଷ 60ହଜାର ନଗଦ ଟଙ୍କା ଜବତ କରିଛି । ତେବେ ଧରାପଡ଼ିବା ପରେ ଏବେ ସାମ୍ନାକୁ ଆସିଛି ରାଜଧାନୀରେ ଗଞ୍ଜେଇ ବେପାରର ନୂଆ ତରିକା । ପାନ ଦୋକାନଠୁ ଆରମ୍ଭ କରି ଚା' ଦୋକାନୀ । ଖୋଳ ସିଗାରେଟ ପରି ହେଲେ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଛନ୍ତି ।