ଭୁବନେଶ୍ବର: କବି ଜୟଦେବ ଓଡ଼ିଶାର ନା ବେଙ୍ଗଲର ? ଜୟଦେବଙ୍କ ଜନ୍ମସ୍ଥାନ ଓଡ଼ିଶାରେ ହୋଇଥିବା ବେଳେ, ପୁଣି ଥରେ ସୃଷ୍ଟି ହୋଇଛି ବିବାଦ । ଏନ୍ସିଇଆର୍ଟି ବହିରେ କବି ଜୟଦେବ ବେଙ୍ଗଲର ବୋଲି ଲେଖାଯିବା ପରେ ଏହାକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯାଇଛି । ଏନ୍ସିଇଆର୍ଟି ପୁସ୍ତକରେ ଭୁଲ ତଥ୍ୟ ଛାପିବାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଓଡ଼ିଶାର ବୁଦ୍ଧିଜୀବୀ । ଏନସିଇଆରଟି କ୍ଷମା ମାଗିବା ସହ ତୁରନ୍ତ ଭୁଲ୍ ସଂଶୋଧନ ପାଇଁ ଦାବି ହୋଇଛି ।
ଏନ୍ସିଇଆର୍ଟି ବହିରେ ଜୟଦେବ ବେଙ୍ଗଲର, ଦିଆଯାଉଛି ଭୁଲ୍ ତଥ୍ୟ।
ଛାତ୍ରୀଛାତ୍ରଙ୍କୁ ଭୁଲ୍ ତଥ୍ୟ ଦେଉଛି ନ୍ୟାସନାଲ କାଉନ୍ସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି)। ଏନ୍ସିଇଆର୍ଟି ପକ୍ଷରୁ ୨୦୨୨ରେ ଇଂରାଜୀ ଭାଷାରେ ପ୍ରକାଶିତ ସପ୍ତମ ଶ୍ରେଣୀ ଇତିହାସ ବହିରେ ଓଡ଼ିଆ କବି ତଥା ପ୍ରସିଦ୍ଧ କାବ୍ୟ ଗୀତ ଗୋବିନ୍ଦର ରଚୟିତା କବି ଜୟଦେବଙ୍କୁ ବେଙ୍ଗଲର ବୋଲି ଉଲ୍ଲେଖ କରାଯାଇଛି। ଏପରି ଗୁରୁତର ତ୍ରୁଟିକୁ ନେଇ କୋଣାର୍କ ଅଞ୍ଚଳର ସଂସ୍କୃତି ପ୍ରେମୀ ତଥା ଆଇନଜୀବୀ ସଞ୍ଜୟ କୁମାର ବରାଳ ନିଜ ସୋସିଆଲ ମିଡିଆ ପେଜ୍ରେ ପୋଷ୍ଟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ସ୍ୱଭିମାନ ଏବଂ ଓଡ଼ିଆ ଜାତିର ଅସ୍ମିତାକୁ ଧ୍ୱଂସ କରିବା ପାଇଁ ଏନ୍ସିଇଆର୍ଟି ଉଦ୍ୟମ କରୁଥିବା ସେ କହିଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଲୋକେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ଏନ୍ସିଇଆର୍ଟି ବହିରେ ଜୟଦେବ ବେଙ୍ଗଲର, ଦିଆଯାଉଛି ଭୁଲ୍ ତଥ୍ୟ। ଏହା ମଧ୍ଯ ପଢ଼ନ୍ତୁ: ଜୟଦେବ ଜୟନ୍ତୀ: ଭୁବନେଶ୍ଵରରୁ ଆରମ୍ଭ ପୁରୀରେ ଶେଷ ହେବ କାର୍ଯ୍ୟକ୍ରମ
ସମସ୍ତେ ଜାଣିଛନ୍ତି ଯେ, ଜୟଦେବଙ୍କ ଜନ୍ମସ୍ଥାନ ଓଡ଼ିଶାରେ । ତାଙ୍କ ନାମ ଅନୁସାରେ ଖୋର୍ଦ୍ଧା ଜିଲାର ବାଲିପାଟଣା ନିର୍ବାଚନ ମଣ୍ଡଳୀର ନାମକୁ ପରିବର୍ତ୍ତନ କରାଯାଇ ଜୟଦେବ ରଖାଯାଇଛି। ଏପରିକି ରାଜ୍ୟ ସରକାରଙ୍କ ତରଫରୁ ୨୦୧୬ରେ ପ୍ରକାଶିତ ଓଡ଼ିଶା ଡିଷ୍ଟ୍ରିକ୍ଟ ଗେଜେଟିୟର-ଖୋର୍ଦ୍ଧାର ପୃଷ୍ଠା ୨୩୫ରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମିତ କବି ଓ ଲେଖକଙ୍କ ତାଲିକାରେ ୧ ନମ୍ବର ସ୍ଥାନରେ ଜୟଦେବଙ୍କୁ ସ୍ଥାନ ଦିଆଯାଇଛି। ଜିଲ୍ଲା ଗେଜେଟିୟରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ କେନ୍ଦୁଲି ଗ୍ରାମ ଜୟଦେବଙ୍କ ଜନ୍ମସ୍ଥାନ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତେଣୁ ଏନ୍ସିଇଆର୍ଟି ବହିରେ ଜୟଦେବଙ୍କୁ ବେଙ୍ଗଲର ବୋଲି ଦର୍ଶାଯିବା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି । କାରଣ ରସଗୋଲା ପରି ପୂର୍ବରୁ ମଧ୍ୟ ଜୟଦେବଙ୍କୁ ବେଙ୍ଗଲର ବୋଲି କହି କୁଚକ୍ରୀମାନେ ବିଫଳ ହୋଇଥିଲେ । ଏବେ ଏନ୍ସିଇଆର୍ଟି ଭଳି ଜାତୀୟ ସରକାରୀ ଶିକ୍ଷା ସଂସ୍ଥାର ଏଭଳି ଭୁଲ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜ୍ୟବାସୀ।
ଏହା ମଧ୍ୟ ପଢ଼ନ୍ତୁ: ମହୁଆ ମାମଲାରେ ଅପରାଜିତାଙ୍କ ପ୍ରତିକ୍ରିୟା: ‘ଗ୍ରହଣୀୟ ନୁହେଁ ଅନୈତିକ ଆଚରଣ, ମୁଁ ବି ଜଣେ ମହିଳା'
ଏହାକୁ ନେଇ ବୁଦ୍ଧିଜୀବୀ ଏବଂ ଭାଷାବିତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ। ତୁରନ୍ତ ଏନସିଇଆରଟି କ୍ଷମା ମାଗିବ ସହିତ ବହିରେ ଥିବା ଭୁଲ କୁ ସଂଶୋଧନ କରାଯାଉ। ସମାଜବାଦୀ ପାର୍ଟି ଓଡ଼ିଶା ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖାଯାଇଛି । ଏହା ଓଡ଼ିଶା ପ୍ରତି ଅପମାନ ଏବଂ ବଜାରରୁ ଏହି ବହିକୁ ବହିଷ୍କାର କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର