ଭୁବନେଶ୍ବର:ଓଡିଶାକୁ ମିଳିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ନୂଆଦିଲ୍ଲୀରୁ ଭିଡିଓ କନଫରେସିଂ ଯୋଗେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି। ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସମେତ ମୋଟ 9ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ନୂଆ ଭାରତର ନୂଆ ଜୋସ, ନୂଆ ଉତ୍ସାହ ଏବଂ ନୂଆ ଆଶାର ପ୍ରତୀକ । ଏହି ଟ୍ରେନ ସଂଯୋଗ କରୁଥିବା ରାଜ୍ୟ ଗୁଡ଼ିକରେ ଆର୍ଥିକ ସ୍ଥିତି ଓ ପର୍ଯ୍ୟଟନରେ ଲାଭଦାୟକ ହେବ । ଯେଉଁଠି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ସେଇଠି ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ଏକ କୋଟି 11 ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଏହି ଟ୍ରେନରେ ଯାତାୟତ କରସାରିଲେଣି । ଏହି ସଂଖ୍ୟା ଆଗକୁ ମଧ୍ୟ ବୃଦ୍ଧି ପାଇବ । ପୂର୍ବରୁ ଦେଶରେ 25ଟି ବନ୍ଦେ ଭାରତ ଚଳାଚଳ କରୁଥିବା ବେଳେ ଏଥିରେ ଆଉ 9ଟି ଆଜି ସାମିଲ ହୋଇଛି ।
ବନ୍ଦେ ଭାରତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍ । ଏହା ଯାତ୍ରୀମାନଙ୍କୁ ଏକ ନୂତନ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଉନ୍ନତ ମାନର ଵିଶେଶ୍ୱତଃ ସହ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ କରିଥାଏ । ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରକୁ ସଂଯୋଗ କରିବ । ଏହା ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟକୁ ଯଥେଷ୍ଟ ଭାବରେ ହ୍ରାସ କରିବ । ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ ଲାଭଦାୟକ ହେବ ଓଡିଶାର ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ।