ଖୋର୍ଦ୍ଧା:୨୫ତମ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଗୁରୁବାର) ଦିଲ୍ଲୀରୁ ଭର୍ଚୁଆଲ୍ରେ ଜଟଣୀ ସ୍ଥିତ ଭୁବନେଶ୍ବର ନାଇଜର କ୍ୟାମ୍ପସ୍ରେ ଏକ ବୃହତ କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ବିଶିଷ୍ଟ ଆଣବିକ ଶକ୍ତି ବୈଜ୍ଞାନିକ ହୋମି ଭାବାଙ୍କ ନାମରେ ନାମିତ ଏହି କ୍ୟାନସର୍ ହସ୍ପିଟାଲ୍ରେ ୨୦୦ ଶଯ୍ୟା ରହିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ଆଟମିକ୍ ଏନର୍ଜି ଓ ଟାଟା ପକ୍ଷରୁ ମିଳିତ ସହଯୋଗ ରହିବ । ପୂର୍ବରୁ ଏହି କ୍ୟାନସର ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ପକ୍ଷରୁ ମଧ୍ୟ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇସାରିଛି ।
ହୋମି ଭାବା କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଜମି, ଜଳ, ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବାକୁ ସ୍ଥିର ହୋଇସାରିଛି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଦେଶରେ ୫ ହଜାର ୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ କନ୍ଫରେନସିଂ ଜରିଆରେ ଜଟଣୀରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।