ବଢିପାରେ ଯୁକ୍ତ ଦୁଇ ସିଟ ସଂଖ୍ୟା ଭୁବନେଶ୍ବର: ଆବଶ୍ୟକ ହେଲେ ବଢିପାରେ ସିଟ ସଂଖ୍ୟା । ଜିଲ୍ଲାର ଆବଶ୍ୟକତା ଦେଖି ଯୁକ୍ତ ଦୁଇ ସିଟ ବଢାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ପ୍ରଥମ ବର୍ଷର ସିଟ ବୃଦ୍ଧିକୁ ନେଇ ସୋମବାର ଦିନ ବିଭାଗୀୟ ଅଧିକାରୀଙ୍କ ଏକ ବୈଠକ ବସିବ । ସେଥିରେ ଯାହା ନିଷ୍ପତ୍ତି ନିଆଯିବ ତାହା ଲାଗୁ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ । ଯେଉଁ ଜିଲ୍ଲାମାନଙ୍କରେ ଯୁକ୍ତ ଦୁଇ କଲେଜରେ ସିଟର ଆବଶ୍ୟକତା ପଡ଼ିବ ସେଠାରେ ସିଟ ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଏପଟେ ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "କୋଭିଡରେ ହେଉଥିବା ଦଶମ ପରୀକ୍ଷାର ଢାଞ୍ଚା ବଦଳିବ । ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ହେବ ।" ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ କରିଥିବାରୁ ଯୁକ୍ତ ଦୁଇ ନାମଲେଖା ନେଇ ଚିନ୍ତା ବଢ଼ିଛି । ତେବେ ସମସ୍ତ ପିଲା କିଭଳି ଭାବରେ ଯୁକ୍ତ ଦୁଇ କଲେଜରେ ସିଟ ପାଇବେ ସେନେଇ ବିଭାଗ ପକ୍ଷରୁ ସୋମବାର ଦିନ ଏକ ବୈଠକରେ ଆଲୋଚନା ହେବ ।
କୋଭିଡ ମହାମାରୀ ସମୟରେ ପୂର୍ବ ପ୍ରଚଳିତ ମାଟ୍ରିକ ପରୀକ୍ଷାର ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଥିଲା । କୋଭିଡ ମହାମାରୀ ଯୋଗୁଁ ୨୦୨୦ ମସିହାରେ ଶ୍ରେଣୀ ଗୃହରେ ପାଠପଢା ଉପରେ ରୋକ ଲାଗିଥିଲା । ୟୁଟ୍ୟୁବ ସହିତ ଅନଲାଇନରେ କ୍ଲାସ ଆରମ୍ଭ ହୋଇଥିଲା । ଏମିତିକି ବିନା ପରୀକ୍ଷାରେ ମଧ୍ୟ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିଲା । ସେହିପରି ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ ପକ୍ଷରୁ ପାଠ୍ୟକ୍ରମକୁ କମାଇ ଦିଆଯାଇଥିଲା । ପାଠ୍ୟକ୍ରମର 70 ପ୍ରତିଶତ ପିଲାମାନେ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ଟି ଫର୍ମେଟିଭ ଆସେସମେଣ୍ଟ ଓ ୨ ଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ପରିବର୍ତ୍ତନ କରାଯିବାର ବ୍ୟବସ୍ଥା କରାଯାଉଛି । ଯାହା ପିଲାମାନେ ବର୍ଷକୁ ଗୋଟିଏ ପରୀକ୍ଷା ଦେବେ ।
ସୂଚନା ଥାଉକି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 5 ଲକ୍ଷ 12ହଜାର ପାସ ହୋଇଛନ୍ତି । ଯଦି ମାଟ୍ରିକ ପ୍ରକାଶିତ ରେଜଲ୍ଟକୁ ନଜର ପକାଇବା ତେବେ A1ରେ ୪ ହଜାର ୧୫୮ ଜଣ ପରୀକ୍ଷାର୍ଥୀ ପାସ ହୋଇଥିବା ବେଳେ A2ରେ ୨୯ ହଜାର ୭୩୮ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି । ସେହିପରି ଭାବରେ B1 ରଖିଛନ୍ତି ୭୬ ହଜାର ୫୬୭ ଜଣ ଛାତ୍ରଛାତ୍ରୀ । B2ରେ ୧ ଲକ୍ଷ ୧୮ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେହିଭଳି ଭାବରେ Cରେ ୧ ଲକ୍ଷ ୨୧ ହଜାର ୬୧ ଜଣ ପାସ ହୋଇଥିବା ବେଳେ Dରେ ୯୫ ହଜାର ୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । E ରଖିଛନ୍ତି ୬୧ ହଜାର ୪୭୪ ପିଲା ଏବଂ F ରେ ୭ ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ।
ଇଟିିଭି ଭାରତ, ଅନୁଗୋଳ