ଭୁବନେଶ୍ବର: ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ନାମ ଲେଖାଇଛନ୍ତି ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମ ଦିନରେ ନାମ ଲେଖାଇବାକୁ ୧ ଲକ୍ଷ ୮୬ ହଜାର ୭୮୭ ଜଣଙ୍କୁ ସୂଚନା ପତ୍ର ଦିଆଯାଇଥିଲା । ଯଦି କୌଣସି ପିଲା ଇଣ୍ଟିମେସନ ଆଣିନଥିବେ ତେବେ ସେମାନେ ହ୍ୱାଟ୍ସଆପ ଜରିଆରେ ମଧ୍ୟ ଇଣ୍ଟିମେସନ ଆଧାରରେ ନାମ ଲେଖାଇ ପାରିବେ । ରାଜ୍ୟରେ ୨ ହଜାର ୧୫୮ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମଲେଖା ଆରମ୍ଭ ହୋଇଛି ।
ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ସେମାନଙ୍କ ହ୍ୱାଟ୍ସଆପରେ ଇଣ୍ଟିମେସନ ପଠାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ ଲେଟର ଆଣି ଆସିନଥାନ୍ତି, ତେବେ ସେମାନଙ୍କ ହ୍ବାଟ୍ସଆପ ମେସେଜ ଦେଖାଇ ନାମ ଲେଖାଇ ପାରିବେ । ଏନେଇ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ପ୍ରତିଦିନ ଘଣ୍ଟାକୁ ୧୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଇଣ୍ଟିମେସନ ପଠାଯାଇଛି । ଅପରାହ୍ନ ୪ଟାରୁ ୫ଟା ବିଳମ୍ବରେ ଆସିଥିବା ପିଲାଙ୍କ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖରେ କୌଣସି କାରଣରୁ ନାମଲେଖା ପାଇଁ ଉପସ୍ଥିତ ହୋଇପାରିବେ ନାହିଁ, ତେବେ ସେମାନେ ଜୁଲାଇ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟାର ସୂଚନା ଦେଇଛନ୍ତି ।