ଓଡିଶା

odisha

ETV Bharat / state

ବିଧାତା ସଜାଇଲା ଭିନ୍ନକ୍ଷମ, ପରିବା ବିକି ଉଦାହରଣ ସାଜିଛନ୍ତି ଲିପୁନା - ଭିନ୍ନକ୍ଷମ ସାଇକେଲରେ ବିକୁଛନ୍ତି ପରିବା

ପିଲାଦିନୁ ଗୋଟିଏ ଗୋଡ଼ରେ ଘା' ହେବାରୁ ଚିକିତ୍ସା ଅଭାବରୁ ଗୋଡ଼ଟି କଟା ହୋଇଥିଲା । ହେଲେ ଜୀବନ ଯୁଦ୍ଧରେ ହାରି ନାହାନ୍ତି ଲିପୁନା । ସମାଜସେବୀଙ୍କ ସହାୟତାରେ ପାଇଥିବା ଭିନ୍ନକ୍ଷମ ସାଇକେଲ୍‌ରେ ରାଜଧାନୀରେ ଗଳିକୁ ଗଳି ବୁଲି ବିକୁଛନ୍ତି ପରିବା । ଅଧିକ ପଢ଼ନ୍ତୁ

ଭିନ୍ନକ୍ଷମ ହେଲେ ବି ସକ୍ଷମ
ଭିନ୍ନକ୍ଷମ ହେଲେ ବି ସକ୍ଷମ

By

Published : Jul 30, 2023, 8:03 PM IST

ଭିନ୍ନକ୍ଷମ ହେଲେ ବି ସକ୍ଷମ

ଭୁବନେଶ୍ବର: ଆତ୍ମବିଶ୍ବାସ ଆଗରେ ଶାରିରୀକ ଅକ୍ଷମତା ସାଜିପାରିନି ବାଧକ । ପିଲାଦିନରୁ ଗୋଟିଏ ଗୋଡ଼ ହରାଇଛନ୍ତି ସତ, ମାତ୍ର ଜୀବନ ଯୁଦ୍ଧରେ ହାରି ନାହାନ୍ତି ଲିପୁନା ପ୍ରତିହାରୀ । ଅକ୍ଷମତାକୁ ଝାଳ କରି ବୁହାଇ ସେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଜଣେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଲିପୁନା । ନିଜର ତିନି ଚକିଆ ସାଇକେଲରେ ପରିବା ବିକି ସେ ନିଜ ପରିବାରର ଆର୍ଥିକ ବୋଝ ସମ୍ଭାଳୁଛନ୍ତି ।

ପିଲାବେଳୁ ହରାଇଲେ ଗୋଟିଏ ଗୋଡ଼: ୩୦ ବର୍ଷୀୟ ଭିନ୍ନକ୍ଷମ ଲିପୁନା ପ୍ରତିହାରୀଙ୍କ ଜନ୍ମ କଟକ ବଡମ୍ବା ଅଞ୍ଚଳର ନିରସିଂହପୁରରେ । ଜନ୍ମର ୪ ମାସ ମଧ୍ୟରେ ଲିପୁନାଙ୍କ ବାମ ଗୋଡରେ ଏକ ଘା' ହୋଇଥିଲା । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବାରୁ ଠିକ୍ ଭାବରେ ଚିକିତ୍ସିତ ହେବାରୁ ବଞ୍ଚିତ ହୋଇଥିଲେ ଲିପୁନା । ପରବର୍ତ୍ତୀ ସମୟରେ ଆଠଗଡର ମାଣିବନ୍ଧ ହସ୍ପିଟାଲରେ ତାଙ୍କର ବାମ ଗୋଡ଼ କାଟିବାକୁ ପଡ଼ିଥିଲା । ଘରେ ବୃଦ୍ଧ ବାପା ଓ ମାଆଙ୍କର ବୋଝ ନହେବା ପାଇଁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ଗାଁ ଛାଡ଼ି କଟକ ଓ ଭୁବନେଶ୍ବର ଭଳି ସହରରେ ଆସି ଭିକ୍ଷାବୃତ୍ତି କରୁଥିଲେ । ଏହାରି ମଧ୍ୟରେ ଲିପୁନାଙ୍କ ଜୀବନରେ ବୃଦ୍ଧ ବାପା ଓ ମାଆଙ୍କ ସହ ଯୋଡ଼ି ହେଲେ ଲିପୁନାଙ୍କ ଦୃଷ୍ଟିହୀନ ସ୍ତ୍ରୀ ଏବଂ ୨ ଛୁଆ ।

ସାଇକେଲରେ ଖୋଲିଛନ୍ତି ପରିବା ଦୋକାନ: ଅନେକ ସମୟ ଧରି ମାଷ୍ଟରକ୍ୟାଣ୍ଟିନ ଛକରେ ଭିକ୍ଷାବୃତ୍ତି କରିଥିଲେ ଲିପୁନା । ଏହି ସମୟରେ କିଛି ସମାଜସେବୀ ସହାୟତା କରି ଲିପୁନାଙ୍କୁ ଏକ ଭିନ୍ନକ୍ଷମ ସାଇକେଲ ଯୋଗାଇ ଦେଇଥିଲେ । ଏବେ ଲିପୁନା ନିଜ ସାଇକେଲରେ ପନିପରିବା ଓ ଏକ ଛୋଟ ପାନ ଦୋକାନ କରିଛନ୍ତି । ସକାଳ ୮ଟାରୁ ସାଇକେଲରେ ପନିପରିବା ଧରି ରାଜଧାନୀର ବିଭିନ୍ନ ଗଳି ବୁଲି ପରିବା ବିକ୍ରି କରୁଥିବା ବେଳେ ସନ୍ଧ୍ୟା ସମୟରେ ମୁଖ୍ୟ ଛକ ଗୁଡ଼ିକରେ ଚା' ପାନ ବିକ୍ରି କରନ୍ତି । ରାତିରେ କେଉଁ ମନ୍ଦିର ବା ରାସ୍ତା କଡ଼ରେ ଶୋଇ ପଡନ୍ତି ଲିପୁନା । ଏହି ବୁଲା ବ୍ୟବସାୟରୁ ଯାହା କିଛି ରୋଜଗାର ହୁଏ, ସେ ନିଜେ ଚଳିବା ସହ ସେଥିରୁ ନିଜ ଘର ଚଳିବାକୁ ମଧ୍ୟ ଟଙ୍କା ପଠାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବୁଢା ବୟସରେ ରାକ୍ଷୀର ମୂଲ୍ୟ ସୁଝୁଛି ଭାଇ; ଭିନ୍ନକ୍ଷମ ଭଉଣୀ ସେବାରେ ବିତୁଛି ଦିନ, ଭତ୍ତା ଟଙ୍କାରେ ପୁରୁଛି ପେଟ

ସରକାରୀ ସହାୟତାକୁ ଅପେକ୍ଷା: ତେବେ ଏନେଇ ଲିପୁନା କହିଛନ୍ତି, "ରାଜ୍ୟ ସରକାର ଭିନ୍ନକ୍ଷମ ତାଲିକାରେ ଅନ୍ତର୍ଭୁକ୍ତ କରି ମାସିକ ୭୦୦ ଟଙ୍କା ଭତ୍ତା ଦେଉଛନ୍ତି । ମାସିକ ୫ କିଲୋ ଚାଉଳ ମଧ୍ୟ ପାଉଛି । ହେଲେ ଅନ୍ୟ କୌଣସି ସୁବିଧା ମିଳୁନାହିଁ । ସ୍ତ୍ରୀ ମଧ୍ୟ ଭିନ୍ନକ୍ଷମ ହୋଇଥିବା ବେଳେ ଯଦି ତାଙ୍କୁ ମାସିକ ଭିନ୍ନକ୍ଷମ ଭତ୍ତା ମିଳେ ତେବେ ଆମ ପରିବାର ସୁରୁଖୁରୁରେ ଚଳିଯିବ ।" ପୂର୍ବରୁ ଅନେକଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା କହିଛନ୍ତି ଲିପୁନା । ଯଦି ରାଜ୍ୟ ସରକାର ସହଯୋଗ କରନ୍ତି, ତେବେ କିଛି କାମ କରିବାରେ ସହଜ ହେବ ବୋଲି ସେ ଆଶା କରିଛନ୍ତି । କିନ୍ତୁ ପରିବା ବିକ୍ରି କରିବା ସମୟରେ ଅନେକ ଲୋକ ପରିବାର ସଠିକ ମୂଲ୍ୟ ଦେଇଥାନ୍ତି । ଖୁଚୁରା ନଥିଲେ କେହି କେହି ଫେରସ୍ତ ଟଙ୍କା ନେଇନଥାନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details