ଖୋର୍ଦ୍ଧା:ଦୁଃଖ ସୁଖକୁ ନେଇ ଜୀବନ । ଜୀବନରେ ଦୁଃଖ ସୁଖ ରହିଲେ ସଂଘର୍ଷର ସ୍ବାଦ ଚାଖେ ମଣିଷ । ହେଲେ ଦୁଃଖ ଯେବେ ସୀମା ପାର କରେ ଅସହାୟ ହୋଇଯାଏ ଜୀବନ । ଭାଗ୍ୟକୁ ନିନ୍ଦେ ମଣିଷ । ହେଲେ ସଂଘର୍ଷ ଛାଡେ ନାହିଁ । ଦୁନିଆରେ ଅନେକ ଲୋକ ଅଛନ୍ତି କାହା ପାଇଁ ଜୀବନ ସୁଖ ଭରା ହୋଇଥାଏ ତ ଆଉ କାହା ପାଇଁ ଦୁଃଖଭରା । ଅନେକ ବଞ୍ଚିବା ପାଇଁ ପ୍ରତି ମୂହୂର୍ତ୍ତରେ ଲଢନ୍ତି । ସେମିତି ଜଣେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ବର ପଣ୍ଡା । ଭଗବାନ ତାଙ୍କୁ ଦିବ୍ୟାଙ୍ଗ କରିଛନ୍ତି । ହେଲେ ସେ ହାରି ନାହାନ୍ତି । ବୃଦ୍ଧ ବାପାମାଆଙ୍କ ପାଇଁ ସାଜିଛନ୍ତି ଶ୍ରବଣ କୁମାର । ଏହି ଅସହାୟ ପରିବାରକୁ ଅଧିକ ସରକାରୀ ସହାୟତାର ଆବଶ୍ୟକ ରହିଛି (Physically Challenged man need help ) ।
ଦିବ୍ୟାଙ୍ଗ ତାରେଶ୍ୱରଙ୍କ ପାଇଁ ଦାରିଦ୍ରତା ସବୁ ସୀମା ଟପିଯାଇଛି ଭଗବାନ ଯେମିତି ପଥର ପାଲଟି ଯାଇଛନ୍ତି । ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡା । ବୟସ ୪୫ । ତଥାପି ସେ ନିଜକୁ କେବେ ଅକ୍ଷମ ଭାବି ନାହାନ୍ତି । ବାପାମାଆଙ୍କ ପାଇଁ ଶ୍ରବଣ କୁମାର ସାଜି ନିଜ ଟ୍ରାଇ ସାଇକେଲରେ ଭିନ୍ନକ୍ଷମ ବାପାଙ୍କୁ ବସାଇ ନେଉଥିବା ଦୃଶ୍ଯ ବୟାନ କରୁଛି ବାପା ମାଆ ପ୍ରତି ତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ । ପିଲାଟି ଦିନକୁ ତାରେଶ୍ବର ଦିବ୍ୟାଙ୍ଗ । ଏତିକିରେ ତାଙ୍କ ଦୁଃଖ ସରିନାହିଁ । ତିନି ବର୍ଷ ତଳେ ଏକ ଦୁର୍ଘଟଣାରେ ବାପା ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଅର୍ଥର ଅଭାବରୁ ତାଙ୍କ ଚିକିତ୍ସା କରି ପାରିନଥିଲେ ତାରେଶ୍ୱର । ସେ ଦିନଠାରୁ ବାପା ଶ୍ୟାମ ସୁନ୍ଦର ପଣ୍ଡା ହ୍ବିଲ ଚେୟାର ସାହାରରେ । ତାରେଶ୍ୱରଙ୍କ ମାଆ କୁନି ପଣ୍ଡା କ୍ୟାନ୍ସରରେ ପୀଡ଼ିତ ହୋଇ ଶଯ୍ୟାସାୟୀ । ପରିସ୍ଥିତି ଏପରି ହୋଇଛି ଭଗବାନ ଯେପରି ଦୁଃଖର ପାହାଡ ତାରେଶ୍ୱରଙ୍କ ଉପରେ ଅଜାଡି ଦେଇଛନ୍ତି ।