ଭୁବନେଶ୍ବର:ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ୨୩ଟି ବିଷୟରେ ଦିଆଯିବ ନିଯୁକ୍ତି । ପ୍ରକାଶ ପାଇବାକୁ ଯାଉଛି ୧ ହଜାର ୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ଭାବରେ ପଦ୍ଧତି ଆରମ୍ଭ କରାଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୩ଟି ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି କ୍ରମରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଇଛନ୍ତି ।
ଏହି ନିଯୁକ୍ତି ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ ହେବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ । ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ, ୪୧୬୬ଜଣ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର