ଖୋର୍ଦ୍ଧା:ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଜନତାଙ୍କ ନିକଟତର ହେଉଛନ୍ତି ନେତା । ଟିକେଟ ରେସରେ ଆଶାୟୀ । ଏହାରି ମଧ୍ୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ବିରୋଧରେ ଆସିଛି ସାଙ୍ଗାତିକ ଅଭିଯୋଗ । 2019 ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ଜାଲିଆତି ହୋଇଛି । ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଦାନ କରାଯାଇଥିବା ତଥ୍ୟରେ ତାଳମେଳ ନଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତାଙ୍କ ବିରୋଧରେ 212/2023ରେ ମାମଲା ରୁଜୁ ହୋଇଛି । ଖୋର୍ଦ୍ଧା ପୌରାଞ୍ଚଳର 15 ନଂ ୱାର୍ଡ ବାସିନ୍ଦା ଉପେନ୍ଦ୍ର କୁମାର ରାଉତରାୟ ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ରେମୁଣା ବିଧାୟକଙ୍କ ନାଁରେ ମାମଲା
ଉପେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି ଯେ, 2019 ବିଧାନସଭା ନିର୍ବାଚନ ସମୟରେ ବିଧାୟକ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସେ ଜାଲିଆତି କରିଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂକ୍ରାନ୍ତରେ ସେ ପ୍ରଦାନ କରିଥିବା ତଥ୍ୟରେ ତାଳମେଳ ନାହିଁ । ସେ ବ୍ୟାଙ୍କ ଋଣ କରିବା ପାଇଁ ଯେଉଁ ପ୍ରମାଣପତ୍ର ଦେଇଛନ୍ତି ଓ ସତ୍ୟପାଠରେ ଯେଉଁ ପ୍ରମାଣପତ୍ର ଦେଇଛନ୍ତି ସେଥିରେ ମଧ୍ୟ ତାଳମେଳ ନାହିଁ । ତାଙ୍କ ମାଟ୍ରିକ ପ୍ରମାଣପତ୍ର ଓ ପାନ କାର୍ଡ ସବୁ ଦୁଇ ଦୁଇଟି ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ।