ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି । ଧୀରେଧୀରେ ଏହାର ପ୍ରକୋପ ଅନୁଭୂତ ହେବାରେ ଲାଗିଛି । ପ୍ରଚଣ୍ଡ ଅଗ୍ନିବର୍ଷାରେ ଜଳୁଛି ରାଜଧାନୀ । ଏଠାରେ ଝାଞ୍ଜି ମାଡକୁ ନେଇ ଅସହ୍ୟ ଗରମ ହେବା ସହ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ବର୍ତ୍ତମାନ ପାଣିପାଗ ନିୟାମକକୁ ନେଇ ଏପ୍ରିଲ ୧୩ରୁ ୨୦ ତାରିଖ ଯାଏଁ ସ୍ଥିତି ସାଂଘାତିକ ହେବ ବୋଲି କହିଛି ପାଣିପାଗ ବିଭାଗ । ବୁଧବାର ଦିନ 2ଟା 30 ମିନିଟ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭକୁ ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ, ବାଲେଶ୍ୱର । ଅନ୍ୟପଟେ ୧୪ ତାରିଖରେ ୮ ଜିଲ୍ଲାକୁ ଏବଂ ୧୫ ତାରିଖରେ ମଧ୍ୟ ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେବଗଡ଼, ଅନୁଗୋଳ, ବାଲେଶ୍ୱରରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଥିବା ବେଳେ ସେହିସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ।
ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଶୁଷ୍କ ବାୟୁ ସ୍ଥିତିକୁ ସଙ୍ଗୀନ କରିଛି । ଏପ୍ରିଲ ୧୩ରୁ ୨୦ ତାରିଖ ଯାଏଁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବା ସହ ଦିନ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି । ଏଥିସହ ୧୬ ତାରିଖ ପରେ ପାଗ ବଦଳିବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।