ଭୁବନେଶ୍ବର:ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଲା ପଥ ଉତ୍ସବ ବା ରାହାଗିରି । ଏହି ଆଜି ଠାରୁ ଜନପଥରେ ଆରମ୍ଭ ହୋଇଛି। ରାହାଗିରିର ଭରପୁର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସାମାଜିକ ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଛନ୍ତି।
ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏହି ପଥ ଉତ୍ସବରେ ହକିର ମାସ୍କଟ ରାହାଗିରିକୁ ମଧ୍ୟ ଉଦଘାଟନ କରିଥିଲା । ଏହାସହ ସମସ୍ତଙ୍କୁ ହାତ ହଲାଇ ହକି ବିଶ୍ୱ କପର ଅଭିନନ୍ଦନ ଦେଇଥିଲା । ଉପସ୍ଥିତ ଅତିଥି ରଙ୍ଗୀନ ବେଲୁନ ଉଡାଇ ପୁରା ପଥୋତ୍ସବକୁ ଯେତିକି ରଙ୍ଗୀନ କରିଥିଲେ ସ୍ମାର୍ଟ ଜନପଥରେ ଲୋକମାନଙ୍କର ସେତିକି ଗହଳି ଲାଗିଥିଲା । ଦୀର୍ଘ ଦୁଇ ବର୍ଷ ପରେ ଏଭଳି ମାହୋଲ ଭୁବନେଶ୍ୱରକୁ ଫେରିଥିବା ବେଳେ ପଥୋତ୍ସବରେ ସକାଳୁ ସକାଳୁ ରାଜଧାନୀବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଛନ୍ତି ରାଜଧାନୀବାସୀ । ମିନି ମାରାଥନ ସହ ରାଜରାସ୍ତାରେ ଖେଳକୁଦ, ନାଚ, ଜିମ, ସାଇକେଲିଂ, ଚିତ୍ରାଙ୍କନ ଭଳି କାର୍ଯ୍ୟକ୍ରମ ହୋଇଥିବା ବେଳେ ରାଜଧାନୀବାସୀ ଏହାର ମଜା ଉଠାଇଛନ୍ତି ।
ଖାଲି ସେତିକି ନୁହେଁ ଆମ ସଂସ୍କୃତି ପରମ୍ପରା ଓ ପ୍ରତିଭାର ବିକାଶ ପାଇଁ ଓଡ଼ିଶୀରୁ ଆରମ୍ଭ କରି ରକ୍ ବ୍ୟାଣ୍ଡ ପର୍ଯ୍ୟନ୍ତ ଓ ଭଜନରୁ ଆରମ୍ଭ କରି ରିମିକ୍ସ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଭୁବନେଶ୍ୱର ସମେତ ବାହାର ପର୍ଯ୍ୟଟକଙ୍କୁ ବି ଏକ ନିଆରା ଅନୁଭୂତି ଦେଇଛି ।