ଓଡିଶା

odisha

ETV Bharat / state

ହିଂସ୍ର ହେଉଛନ୍ତି କୁକୁର, ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ହାଇକୋର୍ଟରେ ବିଏମ୍‌ସି

Terror of Stray dogs: ରାଜଧାନୀ ରାସ୍ତାରେ ରାଜ କରୁଛନ୍ତି ବୁଲା କୁକୁର । ଦିନକୁ ଦିନ ବଢ଼ୁଛି କୁକୁର କାମୁଡ଼ା ରୋଗୀ ସଂଖ୍ୟା । ବନ୍ଧ୍ୟାକରଣ ଅସ୍ତ୍ରୋପଚାର ତ୍ବରାନ୍ବିତ ପାଇଁ ହାଇକୋର୍ଟରେ ବିଏମ୍‌ସି । ଅଧିକ ପଢ଼ନ୍ତୁ

ରାଜଧାନୀରେ ବଢ଼ୁଛି କୁକୁର ଆତଙ୍କ
ରାଜଧାନୀରେ ବଢ଼ୁଛି କୁକୁର ଆତଙ୍କ

By ETV Bharat Odisha Team

Published : Dec 19, 2023, 10:25 PM IST

ରାଜଧାନୀରେ ବଢ଼ୁଛି କୁକୁର ଆତଙ୍କ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ଏବେ କୁକୁର କାମୁଡ଼ା ସ୍ଥିତି ସଙ୍ଗୀନ ହୋଇ ପଡିଛି । କୁକୁରମାନେ ହିଂସ୍ର ହେଉଥିବାବେଳେ ଲୋକଙ୍କୁ ଗୋଡାଇ ଗୋଡ଼ାଇ କାମୁଡୁଛନ୍ତି । ଯାହାର କାରଣ ରହିଛି କୁକୁରଙ୍କ ସଂଖ୍ୟା ବୃଦ୍ଧି ସହ ଖାଦ୍ୟାଭାବ । ଏହି ପରିସ୍ଥିତିକୁ ରୋକିବା ପାଇଁ କୁକୁରଙ୍କ ଜନ୍ମ ନିୟନ୍ତ୍ରଣ ଉପରେ ରୋକ ଲାଗିବାର ଆବଶ୍ୟକତା ରହିଛି । ଯାହା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ହେଉନଥିବାରୁ ଦିନକୁ ଦିନ କୁକୁର ଓ ମଣିଷର ସମ୍ପର୍କରେ ତିକ୍ତତା ବଢୁଛି । ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଲାଇ ମାସରୁ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଯାଇଛି । ଫଳରେ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ୬ ମାସ ହେବ ବନ୍ଦ ଅଛି । ଏବେ କୁକୁର ଛୁଆ ଦେଉଥିବାରୁ ସେମାନଙ୍କ ସ୍ବଭାବ ହିଂସ୍ର ହେବା ସ୍ବଭାବିକ । ଗତ କିଛିଦିନ ହେବ ସହରରେ କୁକୁରଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ଏଥିପାଇଁ ଜନସାଧାରଣ ବିଏମ୍‌ସିକୁ ଦାୟୀ କରିଛନ୍ତି । ତେଣୁ ହାଇକୋର୍ଟରେ ପଡିଥିବା କେସ୍‌ରେ ଏବେ ବିଏମ୍‌ସି ନିଜଆଡ଼ୁ ହସ୍ତକ୍ଷେପ କରିଛି ।

ବଢ଼ୁଛି କୁକୁରଙ୍କ ସଂଖ୍ୟା: ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ନିଜର ରାଜ୍ ଚଳାଇଛନ୍ତି । ସେମାନଙ୍କ ପାଇଁ ରାସ୍ତା ସାଜିଛି ଘର । ତେଣୁ ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ରାସ୍ତା ଉପରେ ଏମାନେ ଆକ୍ରମଣ କରିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ହଠାତ୍ ଚଳନ୍ତା ଗାଡ଼ି ଆଗକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । କେଉଁଠି ଗାଡି ସାମ୍ନାରେ ଆସି ଏମାନେ ମୃତ୍ୟୁ ବରଣ କରୁଛନ୍ତି ତ କେଉଁଠି ଏମାନଙ୍କ ପାଇଁ ମଣିଷ ମରୁଛି । ଗତ କିଛିଦିନ ହେବ ରାଜଧାନୀରେ କୁକୁର ଉପଦ୍ରବ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଥିବାବେଳେ କୁକୁର କାମୁଡ଼ା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହାର ମୁଖ୍ୟ କାରଣ ହେଉଛି କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବନ୍ଦ ରହିବା, ଖାଦ୍ୟ ନମିଳିବା ଆଉ ଲୋକଙ୍କର କୁକୁରଙ୍କ ପ୍ରତି ଥିବା ବୈମାତୃକ ଆଚରଣ । ବର୍ତ୍ତମାନର ସମୟ କୁକୁରଙ୍କ ପ୍ରଜନନ ସମୟ ହୋଇଥିବାବେଳେ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବନ୍ଦ ରହିବାରୁ କୁକୁରଙ୍କ ସଂଖ୍ୟା ବଢୁଛି । ସଂଖ୍ୟା ବଢିବା ସହ ସେମାନଙ୍କ ବଞ୍ଚିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସହରରେ ରହୁନାହିଁ ବା ବିଏମ୍‌ସି ତରଫରୁ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ଏହାକୁ ନେଇ କୁକୁର ବଞ୍ଚିବା ପାଇଁ ସଂଘର୍ଷ କରଥିବା ବେଳେ ଏଭଳି ହିଂସ୍ର ଆଚରଣ କରୁଥିବା କହିଛନ୍ତି ରାଜଧାନୀବାସୀ । ଏହା ଖାଲି ମଣିଷର କ୍ଷତି କରୁନି, ବରଂ ମଣିଷ ଓ କୁକୁରର ସମ୍ପର୍କକୁ ମଧ୍ୟ ବିଗାଡୁଛି । ତେଣୁ ଭଲପାଇବା ଦେଇ ଭଲପାଇବା ପାଇବାକୁ ଅନୁରୋଧ କରିଛନ୍ତି କୁକୁର ପ୍ରେମୀ ।

ଏହା ମଧ୍ୟ ପଢ଼ନ୍ତୁ...କୁକୁର କାମୁଡ଼ାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟଣାରେ ୧୦ ଲକ୍ଷ କ୍ଷତିପୂରଣ

ଦିନକୁ ଆସୁଛି ୬୦ରୁ ୭୦ ମାମଲା: କେବଳ ମଣିଷ ନୁହେଁ ବିଏମ୍‌ସି ମଧ୍ୟ ଏଥିପାଇଁ ଦାୟୀ ବୋଲି କହିଛନ୍ତି ପଶୁ ପ୍ରେମୀ ଜୀବନ ବଲ୍ଲଭ ଦାସ । ସେ କହିଛନ୍ତି, "ଖାଲି ବନ୍ଧ୍ୟାକରଣ କରିବୁ କହିଦେଲେ ହେବନି, ଏଥିପାଇଁ ଉପଯୁକ୍ତ ଭିତ୍ତିଭୂମି ସହ ଲୋକଙ୍କୁ ନିୟୋଜିତ କରିବାର ଆବଶ୍ୟକ ରହିଛି । ଏହି ଆବଶ୍ୟକତାକୁ ନେଇ କୁକୁରଙ୍କ ବନ୍ଧ୍ୟାକରଣ ସଠିକ ଢଙ୍ଗରେ ହେଉନଥିବାରୁ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ତେଣୁ ରାୟ ଆସିବା ପୂର୍ବରୁ ବିଏମ୍‌ସି ତାର ଦୁର୍ବଳତା ଆଗ ଠିକ କରୁ ।" ସୂଚନା ମୁତାବକ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୬୦ରୁ ୭୦ କୁକୁର କାମୁଡ଼ା ମାମଲା ଆସୁଥିବା ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ବିଏମ୍‌ସି ସୂଚନା ମୁତାବକ, ବର୍ଷକୁ ୨ ହଜାରରୁ ଊର୍ଦ୍ଧ୍ବ କୁକୁର ଛୁଆ ଜନ୍ମ ହେଉଛନ୍ତି । ଏକ ଆକଳନ ଅନୁଯାୟୀ ଏବେ ସହରରେ ୬୦ ହଜାରରୁ ଊର୍ଦ୍ଧ୍ବ କୁକୁର ରହିଛନ୍ତି । ବିଏମ୍‌ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅତିଷ୍ଠ କଲା ବୁଲା କୁକୁର ଓ ଗାଈଗୋରୁଙ୍କ ପ୍ରାଦୁର୍ଭାବ, ଘଉଡ଼ାଇ ତହସିଲ କାର୍ଯ୍ୟାଳୟରେ ଛାଡ଼ି ଦେଇ ଆସିଲେ ଲୋକେ

'ପ୍ରସ୍ତୁତ ହୋଇ ରହିଛି ହସ୍ପିଟାଲ': ଅନ୍ୟପଟେ ଭୁବନେଶ୍ବରରେ କୁକୁର କାମୁଡ଼ା ସ୍ଥିତି ସଙ୍ଗୀନ ହେଉଥିବା ବେଳେ ବିଏମ୍‌ସି ତରଫରୁ ସ୍ବତନ୍ତ୍ର ବନ୍ଧ୍ୟାକରଣ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା କହିଛନ୍ତି କମିଶନର । ସେ କହିଛନ୍ତି, "୯୬ଟି କୋଠରୀ ବିଶିଷ୍ଟ ମଞ୍ଚେଶ୍ବରରେ ଥିବା ବିଏମ୍‌ସିର ୱାର୍କିଂ ଓମେନ୍ ହଷ୍ଟେଲକୁ ଅସ୍ଥାୟୀ ଭାବେ କୁକୁର ହସ୍ପିଟାଲ କରାଯାଇଛି । ଅସ୍ତ୍ରୋପଚାର ପାଇଁ ଆନୁସଙ୍ଗିକ ମେସିନ୍‌ ଆସି ସାରିଛି । ସମସ୍ତ ପ୍ରକ୍ରିୟା ସରିଥିବାବେଳେ କେବଳ ବନ୍ଧ୍ୟାକରଣକୁ ଅପେକ୍ଷା ରହିଛି । ୩ ମହଲା ବିଶିଷ୍ଟ ହସ୍ପିଟାଲରେ କୁକୁରଙ୍କ ଅସ୍ତ୍ରୋପଚର ଏବଂ ଅନ୍ୟ ଚିକିତ୍ସା କରାଯିବ । ବନ୍ଧ୍ୟାକରଣ ଲାଗି ରାୟ ଆସିବା ପରେ ନୂତନ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଦିନକୁ ୧୫୦ କୁକୁରଙ୍କ ଅସ୍ତ୍ରୋପଚାର କରାଯିବ । ସେହିପରି ନୂତନ ହସ୍ପିଟାଲ ହେବାପରେ ପ୍ରତି ୱାର୍ଡରୁ କୁକୁରଙ୍କୁ ଆଣି ଅସ୍ତ୍ରୋପଚାର କରାଯିବ ।" ଭୁବନେଶ୍ବରରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏକଥାକୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ସ୍ବୀକାର କରିଛନ୍ତି । କୋର୍ଟରେ ମାମଲା ଥିବାରୁ କୁକୁରଙ୍କ ବନ୍ଧ୍ୟାକରଣ ହୋଇପାରୁନାହିଁ । ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅର୍ଡର ମିଳିଯିବ ବୋଲି ବିଏମ୍‌ସି ଆଶାବାଦୀ ଥିବାବେଳେ ବିଏମ୍‌ସି କୁକୁର ବନ୍ଧ୍ୟାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କମିଶନର କହିଛନ୍ତି ।

ତେବେ କୁକୁର ଓ ମଣିଷ ଭିତରେ ଲାଗିରହିଥିବା ଏହି ବିବାଦ ଭିତରେ ଉଭୟ ପ୍ରଭାବିତ ହେଉଥିବା ବେଳେ ଏହି ନିର୍ବାକ ଜୀବ ଉପରେ କଥା କହିପାରୁଥିବା ଆଉ ବୁଝିପାରୁଥିବା ମଣିଷ ଟିକିଏ ଉତ୍ତମ ଆଚରଣ ଦେଖାଇଲେ ସ୍ଥିତି ବଦଳି ଯିବ ଓ ଉଭୟଙ୍କ ଭିତରେ ସନ୍ତୁଳନ ରହିବ ବୋଲି ସାଧାରଣରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details