ଭୁବନେଶ୍ବର:କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ତେବେ କେଉଁ କେଉଁ ଅଞ୍ଚଳ ଦେଇ ରାହୁଲଙ୍କ ପଦଯାତ୍ରା ଯିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ଫେବୃଆରୀରେ ରାହୁଲଙ୍କ ଗସ୍ତ ନେଇ ବେଶ ଆଶାବାଦୀ ଅଛି ପ୍ରଦେଶ କଂଗ୍ରେସ କମିଟି । ରାହୁଲଙ୍କ ପଦଯାତ୍ରା କଂଗ୍ରେସ ପାଇଁ ବଡ଼ ପ୍ରଭାବ ପକାଇବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ସରକାର ଅବସ୍ଥା ବିଜେଡି ଭୋଗିବ ବୋଲି ସେ କହିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି , "ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛି । ଫେବୃଆରୀରେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଆଜି ଚୂଡାନ୍ତ ହୋଇଛି । ରାହୁଲଙ୍କ ଟିମ ଆସିବା ପରେ ଓଡିଶାରେ ତାଙ୍କ ରୁଟ୍ ଚୂଡାନ୍ତ ହେବ । ରାହୁଲ ଗାନ୍ଧୀଙ୍କ ଗସ୍ତର ପ୍ରଭାବ ଓଡିଶା ଉପରେ ପଡିବ । ସକରାତ୍ମକ ସନ୍ଦେଶ ଯିବ । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ସରକାରକୁ ଆସିବ ।"
ସେ ଆହୁରି କହିଛନ୍ତି, "ବିଜେପି ଓ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରୁଥିବା ଦଳ ଆଜି ସରକାରରେ ଅଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଦଳ କେବଳ ଲୋକଙ୍କୁ ଦିବା ସ୍ୱପ୍ନ ଦେଖାଇଛନ୍ତି । ନବୀନ ସରକାର ଯୋଜନା ପରେ ଯୋଜନା ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲେଇଛନ୍ତି । ନବୀନ ସରକାର ଦୁର୍ନୀତିରେ ଲିପ୍ତ ରହିଥିବା ସରକାର । ମହିଳା ଓ ଯୁବ ବିରୋଧୀ ସରକାର । ଶେଷରେ ଏବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ପଶ୍ଚିମବଙ୍ଗରରେ କମ୍ୟୁନିଷ୍ଟ ସରକାର ଅବସ୍ଥା ଓଡିଶାରେ ବିଜେଡି ଭୋଗିବ । ପୁନର୍ବାର ବିଜେଡି ସରକାର ଗଢ଼ିବ, କେହି ବିଶ୍ୱାସ କରିପାରୁନାହାନ୍ତି । ଜନସାଧାରଣଙ୍କୁ ଅତ୍ୟାଚାର କଲେ । ରାଜ୍ୟକୁ ପଛୁଆ କରି ରଖିଲେ । ଶେଷରେ ଜଗନ୍ନାଥଙ୍କ ନାଁ'ରେ ରାଜନୀତି କରିବାକୁ ପଛାଇଲେ ନାହିଁ । ଭକ୍ତ ଓ ଭଗବାନ ମଧ୍ୟରେ ଛିଡା ହେଉଥିବା ଲୋକଙ୍କୁ ଓଡିଶାବାସୀ ଆଉ ବିଶ୍ୱାସ କରିବେ ନାହିଁ । ବିଜେପି ଓ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ । ଆମର ଯେଉଁ ଯୋଜନା ଅଛି ତାହା ରାହୁଲ ଗାନ୍ଧୀ ଆସିଲେ ଘୋଷଣା କରିବେ ।"
ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ପ୍ରଭାରୀ ଅଜୟ କୁମାର, ଉତ୍ସାହିତ କଂଗ୍ରେସ ଶିବିର