ଭୁବନେଶ୍ବର:ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ପରିଡା ଦଳରୁ ବହିଷ୍କାର ହେବା ଘଟଣାରେ ପ୍ରତିକ୍ରିୟା ରଖିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଲା କଂଗ୍ରେସ । "ଏହା ହେଉଛି ବିଜେଡି ଦଳ ଭିତର କଥା ଏ ସମ୍ପର୍କରେ କଂଗ୍ରେସ ମତ ରଖିବା ଠିକ ନୁହେଁ । କିନ୍ତୁ ବହିଷ୍କାର ପରେ ଆମର ପ୍ରଶ୍ନ ହେଉଛି, ଏହି ଦୁଇ ଜଣ ବିଧାୟକ ଦୁର୍ନୀତି କରୁଥିଲେ ବୋଲି ଆଜି ପର୍ଯ୍ୟନ୍ତ ସରକାର ଜାଣିପାରିଲେ ନାହିଁ କେମିତି ? ଯଦି ଜାଣିଥିଲେ, କାହିଁକି ଚୁପ ହୋଇ ବସିଥିଲେ ? ରାଜ୍ୟରେ 2000 ମସିହାରୁ ଏଗ୍ରିକଲଚରରେ ଦୁର୍ନୀତି ଚାଲିଛି । ତେବେ ସରକାରଙ୍କର ଆଜି କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ମନେ ପଡିଲା ?" ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ବିଜେଡି ଦଳର 2 ବିଧାୟକ ଦଳରୁ ବହିଷ୍କାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ସାମ୍ବାଦିକ ଏବଂ ସମ୍ପାଦକ ଭାବରେ ଖବରକାଗଜରେ ଆଲେଖ୍ୟ ଲେଖିଥିଲେ । ମନ୍ତ୍ରୀ ବଡ଼ ନା ଅଫିସର ବଡ ବୋଲି ପ୍ରଶ୍ନ ପଚାରିଥିଲେ । ଯେତେବେଳେ ବିଜେଡି ସୌମ୍ୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରିଥିଲା ସେତେବେଳେ କ'ଣ ସିଏ ଜାଣିନଥିଲେ ସୌମ୍ୟ ବାବୁ ଦୁର୍ନୀତି କରିଛନ୍ତି ? ଦଳରେ ସାମିଲ କରିଲା ବେଳେ କାହିଁକି ଏ ସମ୍ପର୍କରେ ଚିନ୍ତା କଲେ ନାହିଁ ? ସେତେବେଳେ 5 ଟି କଣ କରୁଥିଲା ? ସତ କଥା ହେଉଛି, ସୌମ୍ୟ ରଞ୍ଜନ ସତ ଲେଖିଲା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହୋଇସାରିଛି । ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ସାଧାରଣଲୋକଙ୍କ ସମସ୍ୟା ବୁଝିପାରୁନାହାନ୍ତି । ଯିଏ ସରକାରଙ୍କ ବିରୋଧରେ ଲେଖିଲା ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରାଜ୍ୟର ଏକଛତ୍ରବାଦ ଶାସନର ଏହା ଏକ ବଡ ଉଦାହରଣ ।" ରାଜ୍ୟରେ ଅଫିସର ରାଜ ବନ୍ଦ କରି ଗଣତନ୍ତ୍ର ସ୍ଥାପନ କରିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ସେପଟେ ସୌମ୍ୟରଞ୍ଜନ କଂଗ୍ରେସ ଦଳରେ ମିଶିବାକୁ ଚାହିଁଲେ ଦଳ ତାଙ୍କୁ ମିଶାଇବ କି ନାହିଁ ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି ଯେ ଏହାର ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ ।