ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଯାହାକୁ ନେଇ ଗୁଜୁରାଟର ଜଣେ ବିଧାୟକ ସୁରଟ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଗତକାଲି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ କୋର୍ଟ । ଏହାର ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି । ଯାହାକୁ ଦେଶର ସମସ୍ତ ବିରୋଧି ଦଳ ତୀବ୍ର ସମାଲୋଚନା କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶରତ କହିଛନ୍ତି, "କେନ୍ଦ୍ର ସରକାର ରାହୁଲ ଗାନ୍ଧିଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ କରିଛନ୍ତି । କିନ୍ତୁ ଏଥିରେ ବିଜେପି କେବେ ସଫଳ ହେବନାହିଁ । ଭାରତବର୍ଷର ସମ୍ବିଧାନ, ଗଣତନ୍ତ୍ର ଉପରେ ବିପଦ ଆସିଛି । ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ରାହୁଲ ଗାନ୍ଧିଙ୍କ ସଂଗ୍ରାମକୁ ସହ୍ୟ କରି ପାରୁନି ବିଜେପି । ରାହୁଲ ଗାନ୍ଧିଙ୍କ ଉପରେ ଆକ୍ରମଣ ମାନେ କଂଗ୍ରେସ ଉପରେ ଆକ୍ରମଣ । ସାରା ଓଡ଼ିଶା ରାହୁଲଙ୍କ ପଛରେ ଛିଡ଼ା ହୋଇଛି । ଭାରତବାସୀ ଜାଣି ସାରିଲେଣି, ବିଜେପି ଦେଶର କେଉଁ କ୍ଷତି କରୁଛି । ଯେଉଁ ପରିବାର ଦେଶ ପାଇଁ ବଳିଦାନ ଦେଇଛନ୍ତି, ସେମାନଙ୍କ ଉପରେ ଏତେ କଠୋର ବିଜେପି । ଦେଶର ଏକତା, ଅଖଣ୍ଡତା ପାଇଁ କଂଗ୍ରେସ ନିଜର ଜୀବନ ଦେଇଛି । ବିଜେପି ଯାହା କରୁଛି ତାହା ଅତ୍ୟନ୍ତ ଦୁଃଖଦାୟକ । ତେଣୁ କଂଗ୍ରେସ ସଂଗ୍ରାମ ଜାରି ରଖିବ । ଆମର ପ୍ରିୟ ନେତା ରାହୁଲ ଗାନ୍ଧି ଦେଶ ପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ।"