ଭୁବନେଶ୍ବର: ବିଜେଡିର ଗର୍ବ ଭାଙ୍ଗିବ । ପଶ୍ଚିମ ଓଡିଶାରେ ବିଜେଡ଼ିର କୌଣସି ପ୍ରଭାବ ନାହିଁ । 2024 ପରିବର୍ତ୍ତନ ସୁନିଶ୍ଚିତ । ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ସନ୍ଦେହ ନାହିଁ । ବିଜେଡିର 23 ବର୍ଷ ଶାସନ ପରେ ଗର୍ବ ବଢି ଯାଇଛି । ଯେଉଁ ଦଳ ଯେତେ ଗର୍ବ କରିବ ତାହାର ପତ୍ତନ ସେତେ ଶୀଘ୍ର । ପଶ୍ଚିମବଙ୍ଗରେ ମଧ୍ୟ ଗୋଟିଏ ସରକାର ଏମିତି ଗର୍ବ କରି ବୁଡିଛି । ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ, ସୁଶାନ୍ତ ସିଂ ଓ ଶାସକ ଦଳର ପଶ୍ଚିମ ଓଡିଶା ଫୋକସକୁ ନେଇ ପ୍ରତିକ୍ରିୟା ଉକ୍ତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ବିଜେଡି ଫୋକସରେ ପଶ୍ଚିମ ଓଡିଶାକୁ ନେଇ ପିସିସି ସଭାପତି କହିଛନ୍ତି,"ଯାହା କରିଛି କଂଗ୍ରେସ କରିଛି । ଆମେ 35 କିଲୋ ଚାଉଳ ଦେଉଥିଲୁ ଏବେ ତାହା 5 କିଲୋରେ ପହଞ୍ଚିଲାଣି । କେହି ଯେପରି ଭୋକିଲା ନ ରୁହନ୍ତୁ କଂଗ୍ରେସ ସେ ନେଇ ଖାଦ୍ୟ ସୁରକ୍ଷା ଆଇନ ଆଣିଥିଲା । ଲୋକେ ସବୁ ଜାଣି ସାରିଲେଣି । କେବିକେ ଯୋଜନାକୁ ବିଜୁ ଯୋଜନା କରିଛନ୍ତି ଶାସକ ଦଳ ଯାହା କଲେ ବି ପଶ୍ଚିମ ଓଡିଶାବାସୀ ସେଥିରୁ ଉପକୃତ ହୋଇନାହାନ୍ତି । ପଶ୍ଚିମ ଓଡିଶାବାସୀ ଆଜି ବି ପଛୁଆ ହୋଇ ରହିଛନ୍ତି । ବିଜେଡି ପଶ୍ଚିମ ଓଡିଶାରେ କେବେ ବି ସଫଳ ହୋଇ ପାରିବନାହିଁ । ପଶ୍ଚିମ ଓଡିଶାବାସୀ କଂଗ୍ରେସକୁ ସମର୍ଥନ କରିବେ ବୋଲି ମୋର ବିଶ୍ବାସ । 2024 ପଶ୍ଚିମ ଓଡିଶାରେ କଂଗ୍ରେସ ଅଧିକ ଆସନ ପାଇବ । 9ରୁ 90 ନିଶ୍ଚିତ ।''
ପିସିସି ସଭାପତି ଆହୁରି କହିଛନ୍ତି, ପଶ୍ଚିମ ଓଡିଶାରେ ବିଜେଡି କେବେ ବି ଆସି ପାରିବ ନାହିଁ । ପଶ୍ଚିମ ଓଡିଶାବାସୀଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ଆଜି ବି ସେଠାକାର ଆଦିବାସୀ ଅବହେଳିତ । 2024ରେ ସେ ଏହାର ଜବାବ ଦେବେ । ମୋର ବିଶ୍ବାସ ରହିଛି ପଶ୍ଚିମ ଓଡିଶାବାସୀ ଯେଉଁପରି ଅବହେଳିତ ରହିଛନ୍ତି ସେମାନେ କେବେବି ବିଜେଡିକୁ ଜିତାଇବେ ନାହିଁ ।''