ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । କାରଣ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ମନ୍ମଥ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିବା ପରେ ସୁର ଏହାକୁ କାଉଣ୍ଟର କରି ମନ୍ମଥ ଅଲବତ କଂଗ୍ରେସ ଟିକେଟରେ ଲଢ଼ିବେ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ । ହେଲେ ଏହାପରେ ପିସିସି ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ଏହି ଘଟଣାକୁ ଅଧିକ ରୋଚକ କରିଛି ମନ୍ମଥଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ମୁଁ ପିସିସିର ସଭ୍ୟ ହୋଇନାହିଁ । ମୋତେ କିଏ ଓ କିପରି ଦଳରେ ସଭ୍ୟ କଲେ ମୁଁ ଜାଣିନାହିଁ ।" ତେବେ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ଶରତ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ମର୍ମରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଦଳରୁ ଊର୍ଦ୍ଧ୍ବରେ କେହି ନୁହନ୍ତି । ଏଆଇସିସି ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନେ ଦଳ ବିରୋଧରେ କାର୍ଯ୍ୟ କରିବେ ବା ମନ୍ତବ୍ୟ ଦେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କଂଗ୍ରେସର ଲଢେଇ ହେଉଛି ବିଜେପି ଏବଂ ବିଜେଡି ସରକାର ବିରୋଧରେ, ଅନ୍ତର୍ଦ୍ବନ୍ଦ୍ବ ପାଇଁ ନୁହେଁ । ୨୪ ବର୍ଷ ହେବ କଂଗ୍ରେସ କର୍ମୀମନେ ପାହାଡ଼ ଭଳି ଦଳ ସହିତ ଛିଡ଼ା ହୋଇଛନ୍ତି । ସେମାନଙ୍କ ପାଖରେ ମୁଁ କୃତଜ୍ଞ । ନେତାମାନଙ୍କର ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦଳକୁ ଦୁର୍ବଳ କରୁଛି । କେବଳ ଜଟଣୀ ନୁହେଁ, ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଦଳର ପାର୍ଥୀ ରହିଛନ୍ତି । କଂଗ୍ରେସରେ ବିଭ୍ରାଟ କରିବା ପାଇଁ ଅନ୍ୟ ଦଳମାନେ ଲାଗିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡିଲା ମନ୍ତବ୍ୟ ! ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ