ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ନୂଆ ନୂଆ ଯୋଜନା ଘୋଷଣା କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ଦୁଇ ପାଦ ଆଗେଇ ଯାଇ ଓବିସି କାର୍ଡ ଖେଳିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବାବେଳେ, ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଓବିସି ବର୍ଗଙ୍କ ପାଇଁ ବିଶ୍ବକର୍ମା ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଯୋଜନାକୁ ଧୂଆଁବାଣ କହିଛି କଂଗ୍ରେସ । ନିର୍ବାଚନ ଆସିଲେ ସରକାର ନୂଆ ନୂଆ ଯୋଜନାମାନ ଘୋଷଣା କରନ୍ତି, ହେଲେ ତାର ତୃଣମୂଳସ୍ତରରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ମଙ୍ଗଳବାର ସ୍ବାଧୀନତା ଦିବସରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଦେଶର ବିକାଶ ଦିଗରେ ଅନେକ କଥା କହିଥିଲେ । ପାରମ୍ପାରିକ ବୃତ୍ତିଗତ ବ୍ୟବସାୟୀ ବର୍ଗଙ୍କ ସାମୁହିକ ବିକାଶ ପାଇଁ ବିଶ୍ବକର୍ମା ଯୋଜନା ଦେଶରେ କାର୍ଯ୍ୟକାରୀ ହେବାନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାସରେ ବିଶ୍ବକର୍ମା ପୂଜା ଆନୁକୂଲ୍ୟରେ ବିଶ୍ବକର୍ମା ଯୋଜନା ଆରମ୍ଭ ହେବ । ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏଥିରେ ସୁନା କାରିଗର, କମାର, ବାରିକ, କୁମ୍ଭାର, ମୋଚି ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ୧୫ ହଜାର କୋଟିର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହା ମଧ୍ୟ ପଢ଼ନ୍ତୁ...ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର