ଭୁବନେଶ୍ବର: ଆଜି ବିଜେଡି ପ୍ରତିଷ୍ଠା ଦିବସ । 27 ବର୍ଷରେ ପଦାର୍ପଣ କରିଛି ଶାସକ ବିଜୁ ଜନତା ଦଳ । ବିଗତ ବର୍ଷରେ ଦେଶର ରାଜନୈତିକ ଇତିହାସରେ ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏଥର ବିଜେଡିର ପ୍ରତିଷ୍ଠା ଦିବସକୁ ଧୂମଧାମରେ ପାଳନ କରିଛନ୍ତି ଦଳର ନେତା ଓ କର୍ମୀ । ତେବେ ଆଜି ବିଜେଡି ଜନ୍ମଦିବସ ପାଳନ କରିବା ଅବସରରେ କର୍ମୀମାନଙ୍କୁ ସୈନିକ ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏହି ଗୁରୁମନ୍ତ୍ରକୁ କଟାକ୍ଷ କରିଛନ୍ତି ବିରୋଧୀ । ବିରୋଧୀ ବିଜେପି ଏବଂ କଂଗ୍ରେସ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ପିସିସି ସଭାପତି କହିଛନ୍ତି ଯେ ବିଜେଡି ନେତାମାନେ ସୈନିକ ହୁଅନ୍ତୁ ବା ବିକାଶ ପୁରୁଷ, କିନ୍ତୁ ରାଜ୍ୟର କଣ ବିକାଶ କରିଛନ୍ତି ତାହା ସମସ୍ତେ ଜାଣନ୍ତି । ରାଜ୍ୟରେ ମହିଳା, ଦଳିତ, ଆଦିବାସୀ, ଯୁବକ ବା ଶ୍ରମିକ କାହାର ବିକାଶ କରିଛନ୍ତି ସେ କୁହନ୍ତୁ । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଏହା କଣ ବିକାଶର ଚିତ୍ର ? ଯଦି ସତ୍ସାହସ ଅଛି, ତେବେ ରାଜ୍ୟର କଣ ବିକାଶ କରିଛନ୍ତି ତାହାର ହିସାବ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।