ଭୁବନେଶ୍ବର:ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏବେଠୁ ରାଜଧାନୀରେ ଦେଖାଗଲାଣି ହକି ଫିଭର । ଆସନ୍ତା ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ ବିଶ୍ବକପ ହକି ୨୦୨୩ ଟ୍ରଫି । ଏହି ଟ୍ରଫି ସହ ବିଶ୍ବକପ ହକିରେ ଆସୁଥିବା ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ BMC ଅଧିନସ୍ଥ ବିଭାଗ, ଅନୁଷ୍ଠାନ ବିଭିନ୍ନ ସଂଗଠନକୁ ଡାକି ଘନଘନ ବୈଠକ କରୁଛି । ବିଶ୍ବକପକୁ ଆହୁରି ସୁନ୍ଦର କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ମାର୍ଟ ଜନପଥରେ ଯାତାୟାତ ବନ୍ଦ କରି ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପଥୋତ୍ସବ ।
ମିନି ମାରାଥନ ସହ ଆୟୋଜିତ ହେବ ବିଭିନ୍ନ ପ୍ରକାର ପ୍ରତିଯୋଗିତା । ସ୍କୁଲ କଲେଜ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଏନେଇ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା । ରାଜଧାନୀର ରଜରାସ୍ତାରେ ନାଚଗୀତ ,ସ୍କେଟିଂ, ସାଇକେଲିଂର ଆସର ଜମିବ ଯାହାର ଭରପୁର ମଜା ଉଠାଇବେ ରାଜଧାନୀବାସୀ । ବିଶେଷ କରି ଏହି ଟ୍ରଫିକୁ ନେଇ ହକିର ପ୍ରଚାର କରିବ BMC । ଏହି କାର୍ଯ୍ୟକ୍ରମ ଭିତରେ ପୁଣି ଥରେ ରାହାଗିରି ବା ପାଥୋତ୍ସବ ଭୁବନେଶ୍ବରକୁ ଫେରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।