ଭୁବନେଶ୍ବର:ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍ସି ପକ୍ଷରୁ ଆଜି ରାହାଗିରି ବା ପାଥୋତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ଦୋଇଛି । ପ୍ରଥମ ଦିନରେ ଶୀତ ସତ୍ୱେ ବି ପ୍ରବଳ ଜନ ସମାଗମ ହୋଇଥିଲା । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ଦୋଇଥିଲେ । ପ୍ରଥମ ଦିନରେ ଓଡ଼ିଶୀ ନୃତ୍ୟୁରୁ ପଥୋତ୍ସବ ଆରମ୍ଭ ହୋଇଥିବା ବେଳେ ବଲିଉଡ଼ କଣ୍ଠଶିଳ୍ପୀ ନିକିତା ଗାନ୍ଧୀଙ୍କ ଗୀତ ବେଶ ନାଚାଇଥିଲା ରାଜଧାନୀବାସୀଙ୍କୁ ।
ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ପଥୋତ୍ସବ । ଏହି ପଥୋତ୍ସବରେ ବିଭିନ୍ନ ପ୍ରତିଭାର ପଦର୍ଶନରେ ଦୁଲୁକିଛି ମଞ୍ଚ । ରାଜଧାନୀବାସୀ ଝୁମିବା ସହ ସୁସ୍ଥ ରହିବା ପାଇଁ କରିଥିଲେ ବ୍ୟାୟାମ । ବିଶେଷ ଭାବେ ପଥୋତ୍ସବରେ ରାଜଧାନୀର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିବା ବେଳେ ଖୋଲା ମଞ୍ଚରେ ଲୁଚି ରହିଥିବା କଳା ଓ ନୈପୁଣତାର ପଦର୍ଶନ କରିଥିଲେ । ଏଭଳି ଭାବରେ ରାଜଧାନୀବାସୀ ରବିବାରର ଶୀତୁଆ ସକାଳର ଫୁର୍ତ୍ତି ଏଥର ରାହାଗିରିରେ ମନାଇ ବେଶ ଖୁସି ଅନୁଭବ କରିଥିଲେ । ଏହା ସକାଳ ୭ ଟାରୁ ଦିନ ୧୦ ତା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହୋଇଥିଲେ ରାଜଧାନୀବାସିନ୍ଦା ।
ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଞ୍ଚ ରହିଥିବା ବେଳ ରାମମନ୍ଦିର ନିକଟରେ ଦ୍ଵିତୀୟ ମଞ୍ଚ ନିର୍ମାଣ ହୋଇଥିଲା । ଏହି ପଥ ଉତ୍ସବରେ ରାଜଧାନୀର ପଥ ପ୍ରାନ୍ତରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ଆସିଥିବା ସ୍କେଟିଂରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ମଲଖମ୍ଭ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସମସ୍ତେ ଜାଣିଛନ୍ତି ସ୍କେଟିଂ ଏକ ପାଶ୍ଚାତ୍ୟ ପରମ୍ପରା ଏଥିପାଇଁ ଅନେକ ଅଭ୍ୟାସ କରିବାକୁ ପଡିଥାଏ । ହେଲେ ଏହାରି ମାଧ୍ୟମରେ ଅତି ସୁନ୍ଦର ଭବେ ନିଜ କଳା ଓ ସଂସ୍କୃତି ଦିବ୍ୟ ଚେତନାର ନିଖୁଣତାକୁ ପ୍ରତିପାଦିତ କରିଛନ୍ତି ବ୍ରହ୍ମପୁରରୁ ଆସିଥିବା ସ୍କେଟିଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ । ସେହିପରି ମଲଖମ୍ଭ ନୃତ୍ୟ ଏବେ ଲୋପ ପାଇଯାଉଥିବା ବେଳେ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ପୁରୀର କିଛି ଯୁବକ ଏହି ନୃତ୍ୟ ପଦର୍ଶନ କରିଛନ୍ତି । ଏହାସହ ବିକେ ଶତପଥୀ ନାମକ ବ୍ୟକ୍ତି ହୁଳହୁଳି, ଶଙ୍ଖ, ବଇଁଶୀ ଭଳି ଅନେକ ବାଦ୍ୟ ଯନ୍ତ୍ର ଏକାକୀ ବଜାଉଥିବାର ଦେଖିବାକୁ ମିଳିଥିଲା।