ଭୁବନେଶ୍ବର:ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିଶେଷ କରି ନବରଙ୍ଗପୁର ଷଷ୍ଠ ଶ୍ରେଣୀ ଛାତ୍ରୀ ଗଣ ଦୁଷ୍କର୍ମ ପରେ ଏନଇ ଚିନ୍ତା ବ୍ୟକ୍ତ କରିଛି ଅଭିଭାବକ ମହାସଂଘ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଅଭିଭାବକ ମହାସଂଘ । ତେବେ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ରାଜ୍ୟର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟରେ ଛାତ୍ରୀମାନେ ଶିକ୍ଷକ ଓ କର୍ମଚାରୀଙ୍କ ଦ୍ଵାରା ଅନେକ ସମୟରେ ଯୌନ ନିର୍ଯାତନା ତଥା ଅସଦାଚାରଣର ଶିକାର ହେଉଛନ୍ତି । ଏନେଇ ଅଭିଯୋଗ ଆସୁଥିଲେ ମଧ୍ୟ ଅନେକ ଘଟଣାକୁ ଚପାଇ ଦିଆଯାଉଥିବା ଅଭିଯୋଗ କରିଛି ସଂଘ ।
ଏନେଇ ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି,"ଶିକ୍ଷକ ଏବଂ କର୍ମଚାରୀମାନେ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇ ଆସୁଛି । ପ୍ରତିବର୍ଷ ପ୍ରାୟ 90% ମାମଲା ଦେଖିବାକୁ ମିଳୁଛି । ତେଣୁ ଏଭଳି ଗୁରୁତ୍ବପୂର୍ଣ୍ଣ କଥାକୁ ଆଲୋଚନା କରି ସମାଧାନ କରିବାକୁ ଦାବି କରିଛୁ ।" ନିକଟ ଅତୀତରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମା ନିକଟରେ ଥିବା ଏକ ଆବାସିକ ସ୍କୁଲ ପରିସରରେ ଜଣେ 11 ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବିଦ୍ୟାଳୟ ଶୌଚାଳୟରେ ଶିକ୍ଷକମାନେ ଏହି ଜଘନ୍ୟ ଅପରାଧ ଘଟାଇଥିଲେ ।
ଏହି ଘଟଣା ପରେ ପୋଲିସ ଷ୍ଟେସନ ଅଧୀନରେ ଥିବା ଏହି ସରକାରୀ ବିଦ୍ୟାଳୟର ପୀଡିତା ଛାତ୍ରୀ ଆତଙ୍କିତ ଅବସ୍ଥାରେ ଥିଲେ । ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ, ସେ ତାଙ୍କ ପିତାମାତାଙ୍କୁ କହିଥିଲେ । ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ନିକଟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଛାତ୍ରୀ ଜଣଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ଥାଇପାରେ ବୋଲି ଡାକ୍ତର କହିଥିଲେ ।