ଭୁବନେଶ୍ବର:ଜଳ ସମ୍ପଦ ବିଭାଗ ତରଫରୁ ଫେବୃଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଏଥିପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ।
ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖରେ ସମସ୍ତ ଡିଭିଜନ ସ୍ତରରେ, ଫେବୃଆରୀ ୮ ରେ ସମସ୍ତ ଜିଲ୍ଲା ଏବଂ ଫେବୃଆରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିବ । ଏହି ରଥ ପରିକ୍ରମା କାର୍ଯ୍ୟକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଧାୟକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିବେ । କୋଭିଡ ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଏହି ପକ୍ଷ ପାଳନ କରାଯାଇ ପାରିନଥିଲା । ବିଭିନ୍ନ ଡିଭିଜନସ୍ତରରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ର ଓ କୁଇଜ ଆଦି ପ୍ରତିଯୋଗିତା ଆରମ୍ଭ ହୋଇଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଞ୍ଚାୟତ ସମାବେଶମାନ ଆୟୋଜନ କରାଯିବ । ଏହା ସହିତ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନତା ଓ ପାଣି ପଞ୍ଚାୟତ ରଥ ପରିକ୍ରମା କରିବ ।
ଏହି ପରିପ୍ରେକ୍ଷୀରେ ବ୍ୟାନର ପ୍ରସ୍ତୁତି, ପାଣି ପଞ୍ଚାୟତ ପକ୍ଷ ପାଳନ ଲୋଗୋ, ସ୍ଲୋଗାନ, ସଙ୍ଗୀତ, ଶପଥ ପାଠ ଆଦି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ବିଭିନ୍ନ ଜିଲ୍ଲା ପାଇଁ ଜଳ ପ୍ରଭାରୀ ଭାବେ ନିୟୋଜିତ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏହି ସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଜଳ ସମ୍ପଦ ବିଭାଗ ବର୍ଷବର୍ଷ ଧରି ରାଜ୍ୟରେ ଜଳ ସମ୍ପଦ ନିରନ୍ତର ବିକାଶ ଓ ଜଳ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ରାଜ୍ୟରେ ୫-ଟି ଉପକ୍ରମ ଆଧାରରେ କାର୍ଯ୍ୟ ପରିଚାଳନା, ଜଳ ସମ୍ପଦ ବିଭାଗରେ ନୂଆ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛି ।