ଭୁବନେଶ୍ବର:ଲୋକସେବା ଭବନରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନଭେନସନ ସେଣ୍ଟରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଏହି ଅବସରରେ ମତ ରଖିଥିଲେ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,'' ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି । ଏହା ବାସ୍ତବରେ ବହୁତ ବଡ ସଫଳତା । ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି ।’’
‘‘ଆଗାମୀ ଦିନରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରାଯିବ । ଜଳ ଅମୂଲ୍ୟ, ଜଳବାୟୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ପାଣି ଓ ଚାଷ ଉପରେ ପଡିବ । ତେଣୁ ଜଳକୁ ନଷ୍ଟ ନକରି, ତାର ସୁବିନିଯୋଗ ଓ ସୁଷମ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ସଂରକ୍ଷଣ, ପୁନଃବ୍ୟବହାର ଓ ପୁନଃବ୍ୟବହାର ଉପଯୋଗ୍ୟ କରିବା ଆମର ଲକ୍ଷ୍ୟ ହେବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।''
ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ''ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଦୂରଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ଏଥିପାଇଁ ଜଳ ଭଳି ଅମୂଲ୍ୟ ସଂପଦ ଉପରେ ଗୁରୁତ୍ବ ଦେଇ ସେ ପାଣି ପଞ୍ଚାୟତ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଗତ କିଛି ବର୍ଷରେ କୋଭିଡ ପାଇଁ ସ୍ଥଗିତ ଥିବା ଏହି ପକ୍ଷ ପାଳନ ସମାରୋହ ଚଳିତ ବର୍ଷ ସେଚ ପରିଚାଳନାରେ ସମ୍ପୃକ୍ତ ପାଣି ପଞ୍ଚାୟତ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ତୃଣମୂଳ ସ୍ତରରେ ଜଳ ବଣ୍ଟନରେ ସମାନତା ଆଣିବା ଉଦ୍ଦେଶ୍ୟରେ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ଏବେ ଅସମ୍ପୂର୍ଣ୍ଣ ଥିବା ବହୁ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି । ''