ଭୁବନେଶ୍ବର: ଆସନ୍ତାକାଲିଠୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାଣି 'ପଞ୍ଚାୟତ ପକ୍ଷ ୨୦୨୪' । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଉଠା ଜଳସେଚନ ଅନ୍ତର୍ଭୁକ୍ତ ୧୧୭ଟି ଜଳସେଚନ ଡିଭିଜନରେ ଡିଭିଜନସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୨୪ ତାରିଖରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଓ ଜାନୁଆରୀ ୩୦ ତାରିଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ବିଭାଗ ତରଫରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ମନ୍ତ୍ରୀ, ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ପାଣି ପଞ୍ଚାୟତ ରଥକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
କାଲିଠୁ ପାଣି ପଞ୍ଚାୟତ ପକ୍ଷ-୨୦୨୪, ସଚେତନତା ବାର୍ତ୍ତା ଦେବ ରଥ - ପାଣି ପଞ୍ଚାୟତ ପକ୍ଷ ୨୦୨୪
Pani Panchayat Fortnight: ଆସନ୍ତାକାଲିଠୁ ଅନୁଷ୍ଠିତ ହେବ ପାଣି 'ପଞ୍ଚାୟତ ପକ୍ଷ ୨୦୨୪' । ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । କେଉଁ କେଉଁ କାର୍ଯ୍ୟକ୍ରମ ହେବ ଜାଣନ୍ତୁ
Published : Jan 15, 2024, 10:06 PM IST
ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ପାଣି ପଞ୍ଚାୟତ ସମାବେଶ, ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜଳର ସାମାଜିକ ବ୍ୟବହାରିକ ପରିବର୍ତ୍ତନ ଆଦି କାର୍ଯ୍ୟକ୍ରମକୁ ନେଇ ପାଣି ପଞ୍ଚାୟତ ରଥ ପରିଭ୍ରମଣ କରି ସୂଚନା ପ୍ରଦାନ ଓ ସଚେତନତା ବାର୍ତ୍ତା ଦେବ । ଏହାସହ ପୁସ୍ତିକା ବଣ୍ଟନ, ବ୍ୟାନର ଓ ଲୋଗୋ ପ୍ରଦର୍ଶନ, ସ୍ଲୋଗାନ, ଟ୍ୟାଗ୍ ଲାଇନ ବ୍ୟବହାର ସହ, ସଙ୍ଗୀତ, ଶପଥ ପାଠ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
୧୯୯୫-୨୦୦୨ ମସିହାରେ ରାଜ୍ୟରେ ପ୍ରାୟ ୭୦୦ ଟି ଜଳ ଉପଭୋକ୍ତା ସଂଘ ଥିଲା । ଏବେ ୩୯ ହଜାର ୨୮୯ରୁ ଅଧିକ ପାଣି ପଞ୍ଚାୟତକୁ ନେଇ ରାଜ୍ୟରେ ପାଣି ପଞ୍ଚାୟତ ଆନ୍ଦୋଳନ ବହୁ ଆଗକୁ ବଢିଛି । ପାଣି ପଞ୍ଚାୟତ -୨୦୦୨ରେ ସଂଶୋଧନ କରାଯାଇ ଅଧିକରୁ ଅଧକରୁ କୃଷକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡ଼ିକ ମଧ୍ୟରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣି ପଞ୍ଚାୟତ ଗଠନ, ପାଣି ପଞ୍ଚାୟତରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଜଳ ସମ୍ପଦ ବିଭାଗରେ ପାଣି ପଞ୍ଚାୟତର ସଠିକ କାର୍ଯ୍ୟକାରିତା ଏବଂ କ୍ଷେତ୍ର ପ୍ରଣାଳୀ ଭଳି ଭିତ୍ତିଭୂମିର ରିଅଲ ଟାଇମ ମନିଟରିଂ ପାଇଁ ଆରମ୍ଭ ହୋଇଥିଲା ୱେବ ଏବଂ ମୋବାଇଲ ଆପ୍ । ଏହା ଜଳ ପରିଚାଳନାକୁ ସହଜ କରିବା ସହିତ ବ୍ୟବସ୍ଥାରେ ଉନ୍ନତି ଆଣିଛି ।
ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ପ୍ରକଳ୍ପ ବା OIIPCRA ଭଳି ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଫସଲ ଉତ୍ପାଦନରେ ଉନ୍ନତି, ଜଳବାୟୁକୁ ସୁହାଇଲା ଭଳି ସହନଶୀଳ କୃଷି ପଦ୍ଧତି ଏବଂ ଜ୍ଞାନକୌଶଳର ଉପଯୋଗ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲ ବିବିଧିକରଣକୁ ଆପଣାଇବା ଭଳି ପଦକ୍ଷେପ ନିଆଯାଇଛି । ଜଳର ଉତ୍ତମ ଗୁଣବତ୍ତା, ଉତ୍ତମ ଅମଳ ଏବଂ ଜଳବାୟୁ ସହନଶୀଳ ବିହନ ବ୍ୟବହାର ଆଦିକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଛି । ଏହି ପ୍ରୟାସ ମଧ୍ୟ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ସେଚାଞ୍ଚଳ ବିକାଶ ପାଇଁ ରାଜ୍ୟ ପାଣ୍ଠିରୁ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର