ଖୋର୍ଦ୍ଧା: କେବେ ପୂରଣ ହେବ ପାଣ୍ଡିଆବିଲିବାସୀଙ୍କ ଦୁଃଖ, ବ୍ରିଜ ପାଇଁ ନେଲେ ଭୋଟ ବର୍ଜନ ନିଷ୍ପତ୍ତି । ରାତି ପାହିଲେ ନଦୀପାର ଚିନ୍ତା ଘାରିଛି ଖୋର୍ଦ୍ଧା ପାଣ୍ଡିଆବିଲି ଗ୍ରାମବାସୀଙ୍କୁ । ବର୍ଷକରୁ ଆଠ ମାସ ଗାଁକୁ ଡଙ୍ଗା ସାହାରା ପାଲଟୁଥିବାବେଳେ ଅନ୍ୟ ଚାରିମାସ ଗାଁ ଲୋକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ପାଲଟେ ଭରସା । ଦୀର୍ଘ 30ବର୍ଷ ଧରି ଏଠାରେ ସ୍ଥାୟୀ ପୋଲ ନିର୍ମାଣ ଦାବି ସରକାର ନଶୁଣିବାରୁ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ ।
ପାଣ୍ଡିଆବିଲିକୁ ପଶିବେନି ନେତାମନ୍ତ୍ରୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କୁ କଡା ଚେତାବନୀ । ଗାଁ ମୁଣ୍ଡରେ ବୋର୍ଡ ଲଗାଇ ସରକାରଙ୍କୁ ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆବିଲି ଗ୍ରାମବାସୀ । କାହିଁକି ନା ଦୀର୍ଘଦିନ ଧରି ଏମାନଙ୍କ ଦାବି ଶୁଣୁନାହାନ୍ତି ସରକାର । ଯେଉଁଥିପାଇଁ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଚେତାଇ ଦେଇଛନ୍ତି ଗ୍ରାମବାସୀ। ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀର ନାକ ତଳେ ରହିଛି ଏମିତି ଏକ ଗାଁ ଯେଉଁଠି ବର୍ଷକର ଚାରିମାସ ଡଙ୍ଗା ପାଲଟେ ସାହାରା । ଆଉ ଚାରିମାସ ନିଜ ହାତ ତିଆରି ରାସ୍ତାରେ ଯାତାୟତ କରନ୍ତି ଦୈନିକ ହଜାର ହଜାର ଲୋକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ପଣ୍ଡିଆବିଲି ଗାଁ। ରାତି ପାହିଲେ ଗ୍ରାମବାସୀଙ୍କୁ ଘାରିଛି ନଦୀପାର ଚିନ୍ତା ।
ରାଜଧାନୀ ଠାରୁ ମାତ୍ର 30କିମି ଦୂର ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ପାଣ୍ଡିଆବିଲି ଗ୍ରାମର ଲୋକେ ରାସ୍ତା ନଥିବା କାରଣରୁ ଭୋଗୁଛନ୍ତି ନର୍କ ଯନ୍ତ୍ରଣା । ପାଣ୍ଡିଆବିଲି ଗ୍ରାମ ଦେଇ ଦୟା ଓ ରାଜୁଆ ନଦୀ ପ୍ରବାହିତ ହେଉଥିବା ବେଳେ ଏହି ନଦୀ ଉପରେ ବ୍ରିଜ ନଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ସମସ୍ୟା ସୃଷ୍ଟି ହେଉଛି । ପାଣ୍ଡିଆବିଲି ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ଦୟା ନଦୀ ଉପରେ ବ୍ରିଜ ଟିଏ ନିର୍ମାଣ ପାଇଁ ଦୀର୍ଘ 30ବର୍ଷ ହେବ ସ୍ଥାନୀୟ ଲୋକମାନେ ଦାବି କରିଆସୁଥିଲେ ମଧ୍ୟ ଏହା ସଫଳ ହୋଇନି । ଫଳରେ ଏହାର ପ୍ରତିବାଦ କରି ଚଳିତ ପଂଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ପାଣ୍ଡିଆବିଲି ଗ୍ରାମବାସୀ ।