ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି । କଂଗ୍ରେସ ପକ୍ଷରୁ ମୁଲତବୀ ଶୀର୍ଷକ "ରାଜ୍ୟରେ ଚାଷୀମାନେ ହେଉଛନ୍ତି ଶୋଷଣର ଶିକାର, ଧାନ ବିକ୍ରିରେ ଅବ୍ୟବସ୍ଥା ସହ ଇନପୁଟ ସବସିଡି ଓ ବୀମାରାଶି ପାଇବାରୁ ବଞ୍ଚିତ" ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ବାରା ଆଗତ ହୋଇଥିଲା ପ୍ରସ୍ତାବ । କୃଷି ମନ୍ତ୍ରୀଙ୍କ ବଦଳରେ ଗୃହରେ ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୃଷିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ସରକାର କୃଷି ଏବଂ କୃଷକ ମାନଙ୍କର ଉନ୍ନତିକୁ ପ୍ରାଥମିକତା ଦେଇଆସୁଛନ୍ତି । ଏଥି ନିମନ୍ତେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାମାନ ପ୍ରଣୟନ କରୁଛନ୍ତି । କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଗୁଣାତ୍ମକ ମାନର ବିହନ, ସାର, କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯାଉଛି । ଏହା ସହ ଜଳସେଚନର ସୁବିଧା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ରୁଣ ପ୍ରଦାନ, ଫସଲ ବୀମା ବ୍ୟବସ୍ଥା ଏବଂ ଇନପୁଟ ସବସିଡି ଆଦିର ବ୍ୟବସ୍ଥା କରିଛନ୍ତି । କୃଷି କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । କୃଷିଜାତ ପଦାର୍ଥର ବିକ୍ରିବଟାର ସୁବ୍ୟବସ୍ଥା ନିମନ୍ତେ ଗୋଷ୍ଠୀ ଭିଭିରେ ଫସଲ ଚାଷ, FPO ଗଠନ ନିମନ୍ତେ ସହାୟତା, ପ୍ରାଥମିକ ଶସ୍ୟ ପ୍ରକ୍ରିୟାକରଣ, RMC ମଣ୍ଡିଗୁଡିକୁ e - NAM ସହ ସଞ୍ଜୁକ୍ତିକରଣ । ଏହା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ, ମଣ୍ଡିଆ ଓ ଅନ୍ୟାନ୍ୟ କେତେକ କୃଷିଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି । ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
ଏହାବି ପଢନ୍ତୁ- Odisha Assembly News: ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨ ପାରିତ
ଏହା ଫଳରେ ଚାଷୀମାନଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକ୍ରୀ ଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଛନ୍ତି ।ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମୁଖ୍ୟତଃ, ପ୍ରାଥମିକ କୃଷି ସମବାୟ ସମିତିମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ନିକଟରୁ ସିଧା ସଳଖ ଧାନ ସଂଗ୍ରହ କରୁଛନ୍ତି । ଆଗୁଆ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ମାଧ୍ୟମରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀମାନେ ସେମାନଙ୍କର କୃଷି ସେବା ସମବାୟ ସମିତିରେ ଆଗୁଆ ପଞ୍ଜିକରଣ କରୁଛନ୍ତି । ରାଜ୍ୟରେ ଧାନ କ୍ରୟର ସମସ୍ତ କାଗଜାତ ପ୍ରସ୍ତୁତି ପି ପାସ ( P - PAS ) application ସହାୟତାରେ କମ୍ପ୍ୟୁଟରୀକୃତ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେଉଛି । ଧାନ ବିକ୍ରି ମୂଲ୍ୟର ପ୍ରତ୍ୟକ୍ଷ ହସ୍ତାନ୍ତର ଚାଷୀଙ୍କ ବ୍ୟାଙ୍କ ଜମା ଖାତାକୁ ଅନଲାଇନ ପ୍ରକ୍ରିୟାରେ ସିଧା ସଳଖ ପ୍ରେରଣ କରାଯାଉଛି । ରାଜ୍ୟ ସରକାର ଅନଲାଇନ ଟୋକନ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପ୍ରକ୍ରିୟାରେ ସ୍ଵଚ୍ଛତା ଓ ନିରପେକ୍ଷତା ପ୍ରଦାନ କରିଛନ୍ତି । KMS 2019-20ରୁ SMS ଜରିଆରେ ପଞ୍ଜିକୃତ ଚାଷୀଙ୍କ ମୋବାଇଲକୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି ଆଧାର - ଭିଭିକ ବାୟୋମେଟ୍ରିକ୍ ଚିହ୍ନଟୀକରଣ ( Bio - metric Authentication ) ପ୍ରକ୍ରିୟାରେ ଚାଷୀଙ୍କ ପରିଚୟ ପ୍ରମାଣିତ ହେଲାପରେ ଧାନ କ୍ରୟ କରାଯାଉଛି । ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତାର ସମସ୍ତ ଉତ୍ପାଦିତ ବଳକା ସରକାରଙ୍କୁ ବିକ୍ରି କରିବା ବ୍ୟବସ୍ଥା ଅବ୍ୟାହତ ରହିଛି । ଫଳରେ , ଅଧିକ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରବେଶ ପାଇଁ ପଥ ସୁଗମ କରାଯାଇଛି ଧାନ ସଂଗ୍ରହ ବର୍ଷ 2021-22 ଠାରୁ ଚାଷୀ ପଞ୍ଜିକରଣ ସମୟରେ ଚାଷୀମାନେ ପ୍ରଦାନ କରିଥିବା ଚାଷ ସମ୍ବନ୍ଧୀୟ ତଥ୍ୟକୁ ସାଟେଲାଇଟ ମାଧ୍ୟମରେ ଯାଞ୍ଚ କରାଯାଉଛି ।