ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ ୨୦୨୩ । ଲଗାତାର ଦ୍ବିତୀୟ ଥର ପାଇଁ ଓଡ଼ିଶା ସରକାର ହକି ବିଶ୍ବକପ ଆୟୋଜନ କରୁଛନ୍ତି । ତେବେ ଶୁକ୍ରବାରଠାରୁ ଏହି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାବେଳେ ପାକିସ୍ତାନ ହକି ଦଳ କିନ୍ତୁ ଚଳିତବର୍ଷ ବିଶ୍ବକପରେ ଅଂଶଗ୍ରହଣ କରିନାହିଁ । ଏନେଇ ଭାରତ ସହିତ ସୀମା ବିବାଦ ଯୋଗୁଁ ପାକିସ୍ତାନ ଆସିନଥିବା ଅନେକ ମତ ରଖୁଥିବାବେଳେ, ଏହା କିନ୍ତୁ ସତ୍ୟ ନୁହେଁ । ବାସ୍ତବରେ ଚଳିତ ବର୍ଷ ହକି ବିଶ୍ବକପ ଖେଳିବାକୁ ପାକିସ୍ତାନ ହକି ଟିମ୍ ଯୋଗ୍ୟତା ହାସଲ କରିପାରିନାହିଁ । ସେଥିପାଇଁ ହକି ବିଶ୍ବକପ ଖେଳିବାକୁ ପାକିସ୍ତାନ ଟିମ ଆସିନାହିଁ ।
ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିୟମ ଅନୁସାରେ ଏସିଆର କେବଳ ଶୀର୍ଷରେ ଥିବା ୪ଟି ଟିମ ହକି ବିଶ୍ବକପ ଖେଳିପାରିବେ । କିନ୍ତୁ ଏହି ଶୀର୍ଷ ୪ଟି ଦଳ ମଧ୍ୟରେ ପାକିସ୍ତାନ ସାମିଲ ନଥିଲା । ହକି ବିଶ୍ବକପ ୨୦୨୨ରେ ପାକିସ୍ତାନ ଗୋଟିଏ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ ୧-୧ରେ ଅମୀମାଂଶିତ ରହିଥିଲା । ଏହାପରେ ପାକିସ୍ତାନ ଏହାର ଦ୍ବିତୀୟ ମ୍ୟାଚରେ ଜାପାନ ଠାରୁ ୩-୨ରେ ପରାସ୍ତ ହୋଇଥିଲା । ଫଳରେ ପାକିସ୍ତାନ ଟିମ ଗ୍ରୁପର ତୃତୀୟ ସ୍ଥାନରେ ରହିଥିଲା ଏବଂ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିନଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ଭାରତ, ଜାପାନ, କୋରିଆ ଓ ମାଲେସିଆ ହକି ବିଶ୍ବକପ ୨୦୨୩ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।