ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ହେବ ପାଇକ ଏକାଡେମୀ, ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ନେଇ ଲକ୍ଷ୍ୟ ରଖାଯାଇଛି। ଅଧିକ ପଢନ୍ତୁ

paika academy and research centre
ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

By ETV Bharat Odisha Team

Published : Sep 8, 2023, 8:04 PM IST

ଭୁବନେଶ୍ବର:ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ଏହା ପ୍ରତିଷ୍ଠା କରାଯିବ ବୋଲି ଜଣା ପଡିଛି । ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ତେବେ ପାଇକମାନଙ୍କ ସାମୂହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ । ଏହାସହ ଶିକ୍ଷାର୍ଥୀମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଏହି କେନ୍ଦ୍ର ଖୋର୍ଦ୍ଧାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ । ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ କରାଯିବ। ଏହାସହ ଡିପିଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ । ଇଂରେଜ ଶାସନ ବିରୁଦ୍ଧରେ ଏହା ଦେଶର ପ୍ରଥମ ବିଦ୍ରୋହ ଥିଲା ବୋଲି ଐତିହାସିକମାନେ ମତ ପ୍ରକାଶ କରନ୍ତି । ଏହି ମହାନ ପାଇକ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ବି ପଢନ୍ତୁ...Paika Rebellion Memorial: ବରୁଣେଇରେ ପାଇକ ସ୍ମାରକୀ କେବେ ? ଜୋର ଧରିଲା ରାଜନୀତି


5T ସଚିବ ଭି.କେ ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ । ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ବୋଲି ପାଣ୍ଡିଆନ ବର୍ଣ୍ଣନା କରିଥିଲେ । ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ 5T ସଚିବ । ପରେ ସେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡି଼ଛି।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details