ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡି ନେତା ଓ ମନ୍ତ୍ରୀ ଗୁଣ୍ଡାଗର୍ଦି କରୁଥିବା ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । ବିରୋଧୀ ଦଳ ନେତା ମୁଖ୍ୟ ସଚେତକଙ୍କ ନେତୃତ୍ବରେ CEOଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରତିହିଂସା ସ୍ବରୂପ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ।
ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳ । ତେବେ ଉପନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ଶାସକ ବିଜେଡି ଓ ବିରୋଧୀ ବିଜେପି ପରସ୍ପର ବିରୋଧରେ ଅଭିଯୋଗ ଆଣି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଉଛନ୍ତି । ରବିବାର ମଧ୍ୟ CEOଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ବିଜେଡି ନେତା ଓ କର୍ମୀ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଗୁଣ୍ଡାଗର୍ଦି କରି ବିଜେପି କର୍ମୀଙ୍କୁ ଆକ୍ରମଣ କରୁଥିବା ଅଭଯୋଗ ନେଇ ବିରୋଧୀ ଦଳ ନେତା ମୁଖ୍ୟ ସଚେତକ ମୋହନ ମାଝିଙ୍କ ନେତୃତ୍ବରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ ।
ଏନେଇ ମୋହନ ମାଝି କହିଛନ୍ତି, "ଆଇନ ଶୃଙ୍ଖଳା ବୋଲି ପଦ୍ମପୁରରେ ଆଉ କିଛି ନାହିଁ । ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ ଗୁଣ୍ଡାଗର୍ଦି କରିବା ସହ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଆକ୍ରମଣ କରୁଛନ୍ତି । ଥାନାରେ ଏତଲା ଦେବାପରେ ମଧ୍ୟ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଆକ୍ସନ ନେଉନାହିଁ । ଯଦି CEO ସମ୍ପୃକ୍ତ ମନ୍ତ୍ରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେନାହିଁ, ତେବେ ଆଗାମୀ ଦିନରେ ବିଜେପି ଏ କଥାକୁ ବିଧାନସଭାରେ ଉଠାଇବା ସହ ବାଚସ୍ପତିଙ୍କ ନିକଟରେ ଫେରାଦ ହେବ ।"