ଭୁବନେଶ୍ବର: ଆରମ୍ଭ ହେଲା ପଦଯାତ୍ରା ଲଢେଇ । ସାଧାରଣ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ ଗାଁ ମୁହାଁ ହେଲେଣି ଦଳୀୟ ନେତା ଓ କର୍ମୀ । ଗୋଟିଏ ପଟେ ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ହେବାକୁ ଥିବା ବେଳେ କଂଗ୍ରେସ ଆରମ୍ଭ କରିଛି ଘରେ ଘରେ ହାତ । ସେପଟେ ବିଜେପି ଘରକୁ ଘର ଯାଇ ମହିଳାମାନଙ୍କ ସହ ଭେଟି କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳା ସଂରକ୍ଷଣ ବିଲ ଉପରେ କହିବା ନେଇ ଯୋଜନା ରଖିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ପଦଯାତ୍ରା ପଲିଟିକ୍ସ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଘର ଘରକୁ ଯାଉଛି କଂଗ୍ରେସ । ସେପ୍ଟେମ୍ବର 25ରୁ ଅକ୍ଟୋବର 15 ପର୍ଯ୍ୟନ୍ତ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛି ରାଜ୍ୟ କଂଗ୍ରେସ । ଘରକୁ ଘର ଯାଇ ଲୋକଙ୍କୁ ଭେଟି ଲିଫଲେଟ ବାଣ୍ଟୁଛି । ରାଜ୍ୟ ଓ କେନ୍ଦ୍ର ସରକାର କଣ ପ୍ରତିଶୃତି ଦେଇଥିଲେ ଆଉ କଣ କରିଛନ୍ତି ତାର ହିସାବ ଜନସାଧାରଣ ମାଗନ୍ତୁ ବୋଲି କଂଗ୍ରେସ ଯୋଜନା କରିଛି । ସାରା ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଘର ଘର ହାତ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ 3ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।
ଏହା ବି ପଢନ୍ତୁ- ବିଜେଡିର ଜନସମ୍ପର୍କ ପଦଯାତ୍ରା, ଗାନ୍ଧୀ ଜୟନ୍ତୀରୁ 2 ମାସିଆ କାର୍ଯ୍ୟକ୍ରମ
ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର 'ଘର ଘର ହାତ ଘର ଘର କଂଗ୍ରେସ' କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପିସିସି ସଭାପତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିଛନ୍ତି ଶରତ । ଏନେଇ ସେ କହିଛନ୍ତି, "ଜନସାଧାରଣ ବିରୋଧୀ ଆଭିମୁଖ୍ୟକୁ ନେଇ ଘରେ ଘରେ ଲିଫଲେଟ ବାଣ୍ଟୁଛୁ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବାରମ୍ବାର ପ୍ରତାରଣା କରିଚାଲିଛନ୍ତି । ଦୀର୍ଘ 24 ବର୍ଷ ବିଜେଡି ସରକାର ଏକ କଳଙ୍କିତ ସରକାର । ଓଡ଼ିଶାବାସୀ ଆଗକୁ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ। ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଏକ ବାଟ, ଆମେ ଘରକୁ ଘର ଯାଇ ଏହି ବାର୍ତ୍ତା ଦେଉଛୁ । ବିଜେଡି ବିଜେପି ମିଶିକି ଅଛନ୍ତି । ଗରିବୀ, ବେରୋଜଗାରୀ, କୃଷିକ୍ଷେତ୍ର ଅବହେଳିତ । ଶଙ୍ଖ ଆଉ ବାଜିବ ନାହିଁ ବାଜିଲେ ବି ଲୋକେ ଶୁଣିବେ ନାହିଁ।"