ଭୁବନେଶ୍ବର:ଓଡ଼ିଶାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ ୭୬୮୨ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ତନ୍ମଧ୍ୟରୁ ସ୍କୁଲକୁ ଅଢେଇ ହଜାର ପିଲା ଫେରିଛନ୍ତି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । ରିପୋର୍ଟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ପାଠ ଛାଡିଥିବାର ଦର୍ଶାଯାଇଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ସେହି ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଦେଶର ସମୁଦାୟ ୩୯୮ଟି ଜିଲ୍ଲାର ୫ ହଜାର ୧୧୮ଟି ଗ୍ରାମରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧.୮୩ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ିଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ଓଡ଼ିଶାର ୭ ହଜାର ୬୮୨ ପିଲା ଡ୍ରପ୍ ଆଉଟ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୯୬ ପିଲା ବିଦ୍ୟାଳୟକୁ ଫେରିଛନ୍ତି । କିନ୍ତୁ ଏବେ ବି ୫୦୮୬ ଜଣ ପିଲା ବିଦ୍ୟାଳୟ ଆସୁନାହାନ୍ତି ।