ଭୁବନେଶ୍ବର: 10 ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ଆଜି (ସୋମବାର) ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରିବାକୁ ଡାକରା ଦେଇଛି ମହାସଂଘ । ଦୀର୍ଘ ଦିନ ହେଲା ବିଭିନ୍ନ ଦାବି ନେଇ ସରକାରଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଉଥିଲା । ହେଲେ ଦାବି ପୂରଣ କରିବାରେ ସରାକର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମହାସଂଘ ଅଭିଯୋଗ କରିଛି । ଏହାକୁ ପ୍ରତିବାଦ କରି ଦୁଇ ଦିନ ହେଲା ମହାସଂଘର ୩୦ ହଜାରରୁ ଅଧିକ କର୍ମଚାରୀ ଧାରଣା ଦେଇଛନ୍ତି । ମହାସଂଘର ଆବାହକ ପ୍ରଭାତ ମହାନ୍ତିଙ୍କ ନେତୃତ୍ବରେ ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନର ଗାନ୍ଧୀ ମାର୍ଗ ଠାରେ ମୋବାଇଲ ଲାଇଟ୍ ଲଗାଇ ପ୍ରତିବାଦ କରିଛନ୍ତି । ଏହାରି ମଧ୍ୟରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂଘ ପକ୍ଷକୁ କୁହାଯାଇଛି ।
ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି । ଆଉଟ୍ ସୋର୍ସିଂ କର୍ମଚାରୀ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ କହିଛନ୍ତି, ଆନ୍ଦୋଳନ କରିବା ପୂର୍ବରୁ ସରକାରଙ୍କୁ ଏ ବାବଦରେ ଜଣାଇ ଦିଆଯାଇଛି । ଏହା ଭିତରେ କୌଣସି ଆଲୋଚନା ହୋଇନାହିଁ । ତେଣୁ ଗତ ଶନିବାପ ଠାରୁ ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ। କୌଣସି କର୍ମଚାରୀ ଆଜି ସରକାରୀ କାର୍ଯ୍ୟ କରିବେ ନାହିଁ । ରାଜରାସ୍ତାରେ ବସି ରହିବେ ସମସ୍ତ କର୍ମଚାରୀ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି କହିଛନ୍ତି ।