ଭୁବନେଶ୍ବର: ‘ନବୀନ ଓଡିଶା’ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଉଛି । ଓଡିଶାରେ ସରକାରୀ ନିଯୁକ୍ତିରେ ମନି ଫର ଜବ୍ ରାକେଟ କାମ କରୁଛି । ଓଡିଶାରେ କଂସେଇ ଶାସନ ଚାଲିଛି । ଯେଉଁଥିରେ ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ପରିବାରର ପିଲାମାନଙ୍କର ଭାଗ୍ୟ ଭବିଷ୍ୟତ ବଳି ପଡୁଛି । ଓଡିଶା ଷ୍ଟାଫ ସିଲେକସନର କୌଣସି ଅଧୀକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଓଡିଶା ଷ୍ଟାଫ ସିଲେକସନ ଦ୍ବାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ନେଇ ଏମିତି କିଛି ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ନିଯୁକ୍ତି ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ସଦୃଶ୍ୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ଏହାବି ପଢନ୍ତୁ- ତେଜିଲା ଟ୍ବିଟର ୱାର, ସମୀର ମହାନ୍ତିଙ୍କୁ କଡା ଜବାବ ଦେଲା ବିଜେଡି
ଲେନିନ କହିଛନ୍ତି, "ରାଜ୍ୟ ବିଜେପି ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି । ଯେଉଁପରି ଭାବେ ବିଜେପି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ତାହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଉଛି । ନିଯୁକ୍ତି କିମ୍ବା ତତସମ୍ପର୍କିତ ଅନ୍ୟ ପ୍ରସଙ୍ଗରେ ବିଜେପି କହିବା ସୈତାନର ବେଦ ପାଠ ପରି । ବିଜେପି ଶାସିତ ରାଜ୍ୟରେ ଯାହା ହୋଇଛି ସେ କଣ ଆଜି ଯାଏ ତାର ଉତ୍ତର ଦେଇ ପାରିଛନ୍ତି । ରାଜ୍ୟର ଏକ ନିଯୁକ୍ତି ଠକେଇ ଉପରେ ଆଜି ଏଠି ବସି କହୁଛନ୍ତି । ଯାହାର ତଦନ୍ତ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା କରିଛି । ତଦନ୍ତ କରୁଛନ୍ତି ଜଣେ ଏସପି । ଯିଏ ଦୋଷୀ ସେମାନଙ୍କ ମଧ୍ୟରୁ 9 ଜଣଙ୍କୁ ଧରାଯାଇଛି ।"