ଭୁବନେଶ୍ବର:କିଡନୀ ରୋଗୀ ଓ OSMCL ଅଧିକାରୀଙ୍କ ମଧ୍ୟରେ ଗତକାଲି(ମଙ୍ଗଳବାର) ଆଲୋଚନା ହୋଇଛି । ରାଜ୍ୟ ଔଷଧ ନିଗମର(Odisha State Medical Corporation) କନଫରେନ୍ସ ହଲ୍ରେ ଏହି ବୈଠକ କରାଯାଇଛି । ଡାକ୍ତରଙ୍କ ଉପସ୍ଥିତିରେ ବିଭିନ୍ନ ନିଜର ଅନୁଭୂତି ବାଖାଣିଛନ୍ତି କିଡନୀ ରୋଗୀ । ଔଷଧ ସଠିକ୍ ଭାବରେ କାମ କରୁଛି, କିଛି ସାଇଡ ଇଫେକ୍ଟ ନାହିଁ ବୋଲି କିଛି ରୋଗୀ କହିଛନ୍ତି । ହେଲେ ଏହି ଆଲୋଚନାରେ ଦୀର୍ଘଦିନ ଧରି ଧାରଣାରେ ବସିଥିବା ରୋଗୀଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।
ସେମାନେ ଅଭିଯୋଗ କରିଛନ୍ତି ଯେ, ବୈଠକ ଆରମ୍ଭ ହେବା ପରେ ଧାରଣାରତ ରୋଗୀଙ୍କୁ କିଛି ସୁରକ୍ଷା ଅଧିକାରୀ ଆସି ଡାକି ନେଇ ଏମଡିଙ୍କ ଚାମ୍ବରକୁ ଯାଇଥିଲେ । ଯେଉଁଠାରେ SCB ମେଡିକାଲର ସୁପରିଟେଣ୍ଡଣ୍ଟ ମଧ୍ୟ ଥିଲେ । କିଛି ଯୁକ୍ତିଯୁକ୍ତ ଆଲୋଚନା ନକରି କେବଳ ସେମାନଙ୍କୁ ବସାଇ ରଖିଲେ । ସେଠାରୁ ଫେରିବା ବେଳକୁ ଏପଟେ ବୈଠକ ସରିଯାଇଥିବା କିଡନୀ ରୋଗୀ ଅଭିଯୋଗ ଆଣିଛନ୍ତି ।
ତେବେ ବୈଠକରେ କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ 50 ଜଣରୁ ଊର୍ଦ୍ଧ୍ବ ଯୋଗ ଦେଇଥିଲେ । ଢ଼େଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କର ସମ୍ପର୍କୀୟମାନେ ନିଜ ନିଜର ମତାମତ ରଖିଥିଲେ । ମୁଖ୍ୟତଃ ହସ୍ପିଟାଲରେ ଅପରେସନ୍ ପୂର୍ବବର୍ତ୍ତୀ ପରାମର୍ଶ ଓ ସାହାଯ୍ୟ, ଅପରେସନ୍ ସମୟରେ ଡାକ୍ତରଖାନାରେ ମିଳୁଥିବା ଡାକ୍ତର ଓ ନର୍ସମାନଙ୍କର ସେବା, ସଂପୂର୍ଣ୍ଣ ମାଗଣା ଅପରେସନ୍, ମାଗଣା ଔଷଧ, ଔଷଧର ଗୁଣବତ୍ତା, ହସ୍ପିଟାଲରେ ମିଳୁଥିବା ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଖିଥିଲେ ।