ଭୁବନେଶ୍ବର:ରାଜଧାନୀରେ ଆମ୍ବ ପସରା । ଆମ୍ବ ପ୍ରେମୀଙ୍କ ପାଇଁ ଓରମାସ ପକ୍ଷରୁ ଭୁବନେଶ୍ବରରେ ଖୋଲିଛି 'ଗାଁ ଆମ୍ବ ପସରା' । ଏହି ପସରାରେ ଓଡ଼ିଶାରେ ଉତ୍ପାଦିତ ରାସାୟନିକ ମୁକ୍ତ ଆମ୍ବ ରାଜଧାନୀବାସୀଙ୍କୁ ମିଳୁଛି । ତେଣୁ ଏହି ଆମ୍ବ ନେବାକୁ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟକର ଓ ଜିରୋ କାର୍ବାଇଟର ଦେଶୀ ଆମ୍ବ ଯୋଗାଇଦେବା ଲକ୍ଷ୍ୟ ନେଇ ୪ ବର୍ଷ ହେଲା ଓରମାସ ପକ୍ଷରୁ ରାଜଧାନୀର sird (state institute for rural development) କ୍ୟାମ୍ପସ ଠାରେ ଦେଶୀ ଆମ୍ବ ବିକ୍ରି କରାଯାଉଛି । ୮ ତାରିଖରୁ ଏହି ଆମ୍ବ ପସରା ଆରମ୍ଭ ହୋଇଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଚାଲିବ । ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଷ୍ଟଲ ଖୋଲା ରହୁଛି ।
ସେହିପରି ୭ ଜିଲ୍ଲା ଅର୍ଥାତ ଅନୁଗୋଳ, ଗଜପତି, କୋରାପୁଟ,ବଲାଙ୍ଗୀର, କଳାହାଣ୍ଡି ,ରାୟଗଡା ଓ ସମ୍ବଲପୁରରୁ ଆସିଥିବା ଚାଷୀ ମାନେ ସେମାନଙ୍କର ଉତ୍ପାଦିତ ଆମ୍ବକୁ ବିକ୍ରି କରୁଛନ୍ତି । ଏହି ୭ ଜିଲ୍ଲାର ଚାଷୀମାନେ ପ୍ରାୟ ୬ ଟନ୍ ଆମ୍ବ ଆଣି ଗ୍ରାହକଙ୍କୁ ବିକ୍ରି କରିସାରିଲେଣି । ଆମ୍ରପଲ୍ଲି, ଦଶେରୀ, ଲେଙ୍ଗଡ଼ା, ବାଇଗଣ ପଲ୍ଲୀ, ସୁନ୍ଦରୀ ଏବଂ ମଲ୍ଲିକା ଭଳି ୮ ପ୍ରକାର ଆମ୍ବ ବିକ୍ରି ହେଉଛି । ଆମ୍ବ ଭିତରେ ସ୍ୱାଦ ସମସ୍ତଙ୍କ ବେଶ ମିଠା ହୋଇଥିବା ବେଳେ ହିମସାଗର ଏବଂ ଆଖୁରସର ଟିକେ ଚାହିଦା ରହିଛି । ସେହିପରି ଆମ୍ବ ଗୁଡିକର ମୂଲ୍ୟ ୪୦ ରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।