ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତେବେ ବିରୋଧି କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି । ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ଏହି ମାମଲାରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯିଏ ସ୍ବପ୍ନ ଦେଖୁଛି, ସେ ହିଁ ନବଙ୍କ ହତ୍ୟାକାରୀ ବୋଲି କହିଛନ୍ତି ପ୍ରଦୀପ । ସେପଟେ ଏହି ଘଟଣାରେ ବଡ଼ବଡ଼ ନେତାଙ୍କ ସମ୍ପୃକ୍ତି ରହିଛି, କିନ୍ତୁ ପୋଲିସ କ୍ରାଇମ ସିନ୍ ରିକ୍ରିଏସନ କରି ଡ୍ରାମା କରୁଛି ବୋଲି କହିଛନ୍ତି ବିରୋଧି ଦଳ ନେତା । ତେବେ ଯଦି ଉଭୟ ବିଜେପି ଓ ବିଜେଡି ପାଖରେ ସୂଚନା ଅଛି, ସେମାନେ ସ୍ପଷ୍ଟ କରନ୍ତୁ ବୋଲି କହିଛି କଂଗ୍ରେସ ।
କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧି ବିଜେପି ଓ କଂଗ୍ରେସ । ଘଟଣାକୁ ଚାପିଦେବା ପାଇଁ ପ୍ରୟାସ ହେଉଥିବା ଉଭୟ ଅଭିଯୋଗ କରିବା ସହ ଏହି ହତ୍ୟାକାଣ୍ଡ ପଛରେ ବିଜେଡିର ହିଁ ବଡ଼ ବଡ଼ ନେତାଙ୍କ ହାତ ଥିବା ଅଭିଯୋଗ କରୁଛନ୍ତି । ନିକଟରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ହତ୍ୟା ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ଏହା ନବଙ୍କ ବ୍ୟବସାୟ ପାଇଁ ଏକ ରାଜନୈତିକ ହତ୍ୟା ବୋଲି ସେ ଅଭିଯୋଗ କରିବା ସହ ଏଥିରେ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ଉପକୂଳ ଓଡ଼ିଶାର ଜଣେ ବିଜେଡି ନେତାଙ୍କର ହାତ ଥିବା ସେ ଅଭିଯୋଗ ଆଣିଥିଲେ । ତେବେ ଆଜି ମଧ୍ୟ ସେହିଭଳି ଏକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି, "ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ନବ ଦାସ କାହିଁକି ଯାଇଥିଲେ ଶନିଙ୍କ ମନ୍ଦିର ? ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ । ଅର୍ଥାତ ଏବେ ଯିଏ ସ୍ବପ୍ନ ଦେଖୁଛି ବିଜେଡିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ହିଁ ହତ୍ୟାକାରୀ ।" ଏହା ସମ୍ପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।