ଭୁବନେଶ୍ବର: ନୂଆବର୍ଷରେ ଟ୍ବିନ୍ସିଟି ବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରିଶୁଳିଆ ନିକଟରେ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି । ସମ୍ପ୍ରସାରିତ ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲେ ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ନେତାମାନଙ୍କୁ ନଡାକିବା ହୀନ ରାଜନିତୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଏହା ସରକାରଙ୍କ ନିର୍ବାଚନ ଭେଳିକି ବୋଲି କହିଛି ବିଜେପି । ଟ୍ବିନସିଟି ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦିବାସ୍ବପ୍ନ ଦେଖାଉଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ବର କଟକ ମେଟ୍ରୋ ସେବା ପ୍ରକଳ୍ପର ଶିଳାନ୍ୟାସକୁ ସ୍ବାଗତ କରିବା ସହ ଜନସାଧାରଣଙ୍କ ଗମନାଗମନରେ ଏହି ସେବା ଉପଯୋଗୀ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ହେଲେ ଆଜିର ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୁର ବା ଅନ୍ୟ ଦଳର କୌଣସି ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଦୀର୍ଘ ବର୍ଷ ହେବ ମେଟ୍ରୋ ପ୍ରକଳ୍ପ ନେଇ ମୁଁ ବିଧାନସଭାରେ ଦାବି କରି ଆସୁଛି । ଭୁବନେଶ୍ବରର ସାମୁହିକ ବିକାଶ ଦିଗରେ ଚେଷ୍ଟା କରି ଦୀର୍ଘ 50 ବର୍ଷ ରାଜନିତୀ କରି ଆସୁଛି । ଆଜି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ସେ ସ୍ଥାନୀୟ ନେତା ହିସାବରେ ଡାକିଲେ ନାହିଁ । ସୌଜନ୍ୟତା ଦୃଷ୍ଟିରୁ ଡାକିବାର ଥିଲା । ହେଲେ ଏଭଳି ଚିନ୍ତାଧାରା ଠିକ ନୁହେଁ । ଏହା ହୀନ ରାଜନୀତି ।"