ଭୁବନେଶ୍ବର: ଆମ ଓଡ଼ିଶା, ନବୀନ ଓଡିଶା ଯୋଜନା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଜନା ପ୍ରସ୍ତାବ ଦେବା ପାଇଁ ଗାଁ ଗହଳିରେ ବସିଲାଣି ବୈଠକ । ଅଧା ପଡିଥିବା କାମକୁ ସମ୍ପୂର୍ଣ୍ଣ ଓ କିଛି ନୂଆ କାର୍ଯ୍ୟକ୍ରମକୁ ହାତକୁ ନେବାକୁ ପଂଚାୟତରୁ ଆସିବ ପ୍ରସ୍ତାବ । ରାଜ୍ୟ ସରକାର ଅନୁମୋଦନ ପରେ ମିଳିବ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା । ଏହି ଯୋଜନା କାମକୁ ନୁହେଁ । କେବଳ ଦଳୀୟ କର୍ମୀଙ୍କୁ ବାଣ୍ଟିବା ଲାଗି ବ୍ୟବସ୍ଥା ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଶାସକ ଦଳ ପକ୍ଷରୁ ବିରୋଧୀଙ୍କ ଅଭିଯୋଗର ଜବାବ ରଖାଯାଇଛି ।
ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ନିର୍ବାଚନ ଆସିଲେ ନୂଆ ଯୋଜନା ଘୋଷଣା କରିବା । ଯୋଜନାକୁ ଦୁଇରୁ ତିନି ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା । ଦଳୀୟ ଆଧାରରେ ଯୋଜନା ବାଣ୍ଟିବା । ଏହା ବିଜେଡି ସରକାରଙ୍କ ଅଭ୍ୟାସ । ନିର୍ବାଚନ ସରିଲେ, ଯୋଜନା ବନ୍ଦ ହୋଇଗଲା । ହିତାଧିକାରୀଙ୍କ ଲିଷ୍ଟ ଖତ ଗଦାକୁ ଗଲା । ଶାସକ ଦଳ ଏବେ ଆମ ଓଡ଼ିଶା, ନବୀନ ଓଡିଶା ଯୋଜନାକୁ କରେଇବା ଲାଗି ଚେଷ୍ଟା କରୁଛନ୍ତି । ଏଥିରେ ଯୋଗ୍ୟ ହିତାଧିକାରୀ କିମ୍ବା ଅସଲ ସମସ୍ୟା ସମାଧାନ ହୋଇପାରିବ ନାହିଁ । ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନା ହୋଇଛି । ଦଳୀୟ ଆଧାରରେ ଯୋଜନା ବଣ୍ଟା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଅତୀତରେ ଦୁଇ ତିନିଟି ଯୋଜନାକୁ ଲକ୍ଷ୍ୟ କଲେ ଏହା ଜଣାପଡିବ । କୌଣସି ଗୋଟେ ଯୋଜନାରେ ଯୋଗ୍ୟଙ୍କୁ କିଛି ମିଳିନାହିଁ । କାଳିଆ, ପିଠା, ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ସବୁ ଦଳୀୟ ଆଧାରରେ ହୋଇଛି । ତରବରିଆ ଭାବେ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଟଙ୍କା ବାଣ୍ଟି ଗାଁ ଗହଳିର ରାଜନୈତିକ ବାତାବରଣ ଖରାପ କରିବା ବିଜୁ ଜନତା ଦଳର ଉଦ୍ୟମ ।