ଭୁବନେଶ୍ବର: ହକି ବିଶ୍ବକପ ନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଚାଲିଛି କଟକ, ଭୁବନେଶ୍ୱର ଓ ରାଉରକେଲାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ବିଭିନ୍ନ ଲୋକଙ୍କୁ ଉଚ୍ଛେଦ କରାଯାଇ ହେଉଛି ଏହି କାର୍ଯ୍ୟ । ସେପଟେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ରାଜ୍ୟ ସରକାର । ସରକାର ରାଜ୍ୟରେ ବିନାଶ କରି ହକି ନାଁରେ ଦବଦବା ଦେଖାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ବିରୋଧିଙ୍କୁ ଜବାବ ରଖିଛି ବିଜେଡି ।
ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଏହା ପୂର୍ବରୁ ଜାନୁଆରୀ 11ରେ କଟକରେ ହେବ ଉଦ୍ଘାଟନୀ ଉତ୍ସବ । ଏନେଇ ରାଜ୍ୟର 3 ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ରାଉଲକେଲାରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଜବରଦଖଲ ଉଚ୍ଛେଦ ସହ ହେଉଛି ବିକାଶ କାର୍ଯ୍ୟ । ବିକଳ୍ପ ବ୍ୟବସ୍ଥା ନକରି ଲୋକଙ୍କୁ ଉଚ୍ଛେଦ କରି ସେମାନଙ୍କ ପେଟକୁ ସରକାର ଲାତ ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ହକି ବିଶ୍ୱକପ ଲାଗି 4 ହଜାର ଲୋକଙ୍କ ଦୋକାନ ଭାଙ୍ଗିଛନ୍ତି ସରକାର । 5 ହଜାର ଲୋକ ବେଘର ହୋଇଛନ୍ତି । ବେସାହାରା ଲୋକଙ୍କ ଲାଗି କିଛି ନକରି ସରକାର ହକି ପଛରେ ମାତିଛନ୍ତି । ସୁନ୍ଦରଗଡରେ ଷ୍ଟାଡିୟମ ହୋଇଛି, ଭଲ ହୋଇଛି । ଦେଶରେ ନବୀନ ବାବୁ ଦବଦବା ଦେଖାଇବାକୁ ଏହି ଯୋଜନା ହୋଇଛି । ଲୋକ ଖାଇବାକୁ ପାଉନାହାନ୍ତି, ନବୀନ ବାବୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରୁଛନ୍ତି । ହକି ନାଁରେ ରାଜ୍ୟ ସରକାର ଟଙ୍କା ବର୍ବାଦ କରୁଛନ୍ତି ।" ତେବେ ଲୋକଙ୍କୁ ହଇରାଣ କରି ହକିରୁ କଣ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।