ଭୁବନେଶ୍ବର:ସୋହେଲା ଦିଲେଶ୍ବର ହତ୍ୟାକାଣ୍ଡ ମାମଲାରେ ଭୁବନେଶ୍ବର କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜିରା ପକାଇଛନ୍ତି ବିରୋଧି ଦଳ ନେତା । ଜୟନାରାୟଣ ମିଶ୍ରଙ୍କ ସହ ଏହି କେସରେ ଅଭିଯୁକ୍ତ ଥିବା ମୋଟ ୧୩ ଜଣ କୋର୍ଟରେ ହାଜର ହୋଇଛନ୍ତି । ସୋହେଲା କୋର୍ଟରୁ କେସ ସ୍ଥାନାନ୍ତର ପରେ ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟରେ ପ୍ରଥମ ଥର ପାଇଁ ଏମାନେ ହାଜର ହୋଇଥିଲେ ।
ଏହି ଘଟଣାର ଚାର୍ଜସିଟ୍ ପରଠାରୁ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି ଜୟନାରାୟଣ । ପରେ ସେହି କେସରେ ତାଙ୍କୁ ପୁଣିଥରେ ଜାମିନ ଦିଆଯାଇଛି । ପୂର୍ବରୁ ଦିଆଯାଇଥିବା ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ଦେଇଛନ୍ତି ଭୁବନେଶ୍ବର ତୃତୀୟ ଅତିରିକ୍ତ ସ୍ବତନ୍ତ୍ର ଏଡିଜେ କୋର୍ଟ । ଏହି ସର୍ତ୍ତ ଗୁଡ଼ିକ ହେଉଛି, ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ କିମ୍ବା ଗଲେ ଏନେଇ କୋର୍ଟଙ୍କୁ ଅବଗତ କରିବେ, କେସର ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା ଧମକ ଚମକ ଦେବେ ନାହିଁ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଅପରାଧିକ ମାମଲାରେ ସାମିଲ ହେବେ ନାହିଁ ।
ବିଶେଷ କରି ସାଂସଦ ଓ ବିଧାୟକମାନଙ୍କ ପାଇଁ ଭୁବନେଶ୍ବରରେ ରହିଛି ସ୍ବତନ୍ତ୍ର କୋର୍ଟ । ତେଣୁ ସେହି କୋର୍ଟରେ ଆଜି ସୋହେଲା କେସ ଆଧାରରେ ହାଜର ହୋଇଥିଲେ ଜୟନାରାୟଣ । ପରେ ଜାମିନ ପାଇଛନ୍ତି । ବରଗଡ଼ ସୋହେଲାରେ ଗତ ୨୦୧୮ ଫେବୃଆରୀ ୨୨ରେ ହୋଇଥିବା ଦିଲେଶ୍ବର ସାହୁ ହତ୍ୟାକାଣ୍ଡ ମାମଲାରେ ସେ ଅଭିଯୁକ୍ତ ଥିଲେ । ସେହି ମାମଲାରେ ପୂର୍ବରୁ ହାଇକୋର୍ଟଙ୍କ ଜାମିନରେ ଅଛନ୍ତି ଜୟନାରାୟଣ ମିଶ୍ର । ହତ୍ୟାକାଣ୍ଡର ୫ ମାସ ପରେ ସେତେବେଳେ ହାଇକୋର୍ଟ ଜାମିନ ଦେଇଥିଲେ । ସେହି ଆଧାରରେ ଜାମିନରେ ଜେଲ୍ରୁ ମୁକୁଳିଥିଲେ ଜୟନାରାୟଣ । ତାଙ୍କ ନାଁରେ ୩୦୨ ଓ ୩୦୭ ଭଳି ସଙ୍ଗୀନ ଦଫା ଲାଗିଛି ।