ଭୁବନେଶ୍ବର:କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି । 2020/21 ଶିକ୍ଷାବର୍ଷରେ ଓଡ଼ିଶା 10ମ ସ୍ଥାନରେ ଥିବାବେଳେ ଏଥର 24 ତମ ସ୍ଥାନରେ ରହିଛି । ଯାହା ଶିକ୍ଷା କ୍ଷେତ୍ର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । 5T ଟ୍ରାନସଫୋରମେସନ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ସେପଟେ ଜବାବ ରଖିଛି ଶାସକ ଦଳ ।
ପୁଣିଥରେ ଚର୍ଚ୍ଚାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ପଡିଛି । ଦେଶର 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା 24 ତମ ସ୍ଥାନରେ ରହିଛି । ଶୀର୍ଷରେ ରହିଛି ଚଣ୍ଡିଗଡ଼ । ଏନେଇ ଆରମ୍ଭ ହୋଇଯାଇଛି ରାଜନୀତି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "23 ବର୍ଷ ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କହୁଛନ୍ତି । ଯାହା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଆଇନା । ଏମାନେ ଶାସନ ନୁହେଁ କ୍ଷମତା ଲୋଭରେ ରହୁଛନ୍ତି । 5T ଟ୍ରାନସଫୋରମେସନ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି । ସ୍କୁଲରେ ଭିତ୍ତିଭୂମି ଠିକ ନାହିଁ । ଶିକ୍ଷକ ନାହାନ୍ତି, ପାଇଖାନା ନାହିଁ । କେବଳ ସବୁଜ ରଙ୍ଗ ଦେଇ 5T ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାର ବ୍ୟବସ୍ଥା ଚାଲିଛି ।"