ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷ ପାଇଁ ୨୮୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ଫଳରେ ଚଳିତ ଆର୍ଥିକ ବର୍ଷରେ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସରକାର ବିଧାନସଭାରେ ଅତିରିକ୍ତ ବଜେଟକୁ ପାରିତ କରାଇନେବେ । ହେଲେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନୀତି ଉପରେ ପ୍ରଶ୍ନ କରିଛନ୍ତି ବିରୋଧୀ । କାରଣ ମୂଳ ବଜେଟରେ ଆବଣ୍ଟିତ ୨.୩୦ ଲକ୍ଷ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨୬.୩୧ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଏତିକି ଅର୍ଥ ଖର୍ଚ୍ଚ କରିବାରେ ସରକାର ସକ୍ଷମ ହୋଇଛନ୍ତି ।
ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟ ବାବଦରେ ମାତ୍ର ୬୦,୫୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଯାହା ମୋଟ ବଜେଟର ମାତ୍ର ୨୬.୩୧ % ରହିଛି । ଏହା ଉପରେ ରାଜ୍ୟ ସରକାର ୨୮୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟୟ ବରାଦ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦରୁ ମାତ୍ର ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ମାସ ରହିଛି । ଏହି ସମୟ ମଧ୍ୟରେ ଅତିରିକ୍ତ ବିଜେଟ ବ୍ୟୟ ବରାଦକୁ ମିଶାଇ ପ୍ରାୟ ୨ ଲକ୍ଷ କୋଟି ଟଙ୍କାକୁ କିଭଳି ଖର୍ଚ୍ଚ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ବି ପଢନ୍ତୁ- Supplementary Budget: 28200 କୋଟିର ଅତିରିକ୍ତ ବଜେଟ, ଆମ ଓଡିଶା ନବୀନ ଓଡିଶାକୁ 1302 କୋଟି
ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ୨୦୨୩ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ ପ୍ରଶାସନିକ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ । ଅଗଷ୍ଟ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବାବଦରେ ୩୪୩୦୩ କୋଟି ଖର୍ଚ୍ଚ ହୋଇଛି । ମୂଳ ବଜେଟରେ ଆକଳନ ହୋଇଥିବା ଟିକସ ସଂଗ୍ରହ କରିବାରେ ସରକାର ସକ୍ଷମ ହୋଇଛନ୍ତି । କିନ୍ତୁ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ଆଖିଦୃଶିଆ ସଫଳତା ପାଇନାହାନ୍ତି । ଚଳିତ ବର୍ଷ ବଜେଟରେ ନିଜସ୍ବ ଟିକସ ରାଜସ୍ବ ବାବଦରେ ୫୩ ହଜାର କୋଟି ଟଙ୍କା ଆକଳନ କରିଥିଲେ । କିନ୍ତୁ ସେଥିରୁ ୩୮ ପ୍ରତିଶତ ବା ୨୦୧୩୧ କୋଟି ଟଙ୍କା ସଂଗ୍ରହ ହୋଇଛି ।