ଭୁବନେଶ୍ବର: ରାଜ୍ୟ ସମବାୟ ୟୁନିଅନ ନିର୍ବାଚନରେ ବ୍ୟାପକ ଚଞ୍ଚକତା ଅଭିଯୋଗ । ଅଭିଯୋଗ ଆଣିଲେ ବିଜେପି ଓ କଂଗ୍ରେସର ନାମାଙ୍କନ ଭରିଥିବା ପ୍ରାର୍ଥୀ । ଅଭିଯୋଗ ଅନୁସାରେ ନାମାଙ୍କନ ତାଲିକାରେ ହୋଇଛି ଚଞ୍ଚକତା । ଚଞ୍ଚକତା କରି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନାମକୁ ଜାଣି ଜାଣି କାଟି ଦେଇଛନ୍ତି ନିର୍ବାଚନ ଅଧିକାରୀ ସବୀର କୁମାର ପଣ୍ଡା । ସରକାରୀ ଦଳର ପ୍ରରୋଚନାରେ ନିର୍ବାଚନ ଅଧିକାରୀ ଏଭଳି ଚଞ୍ଚକତା କରିଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିରୋଧୀ ଦଳ ।
ତେବେ ଗତକାଲିଠାରୁ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ନାମ ନୋଟିସରେ ଆସିବାର ସମୟ ସୀମା ରହିଥିଲା । ହେଲେ ସମବାୟ ଅଫିସରେ ଦେଖାନାହାନ୍ତି ନିର୍ବାଚନ ଅଧିକାରୀ ସବୀର କୁମାର ପଣ୍ଡା କିମ୍ବା ଅନ୍ୟ କୌଣସି ଅଧିକାରୀ । ଅଫିସରେ ପଡିଛି ତାଲା । ରବିବାର ଅପରାହ୍ନ ୫ଟା ସମୟରେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଆସିବା କଥା, କିନ୍ତୁ ସମୟ ଅତିକ୍ରମ କରିଥିଲେ ବି ବର୍ତ୍ତମାନ ଯାଏଁ କାହାରି ଦେଖା ମିଳିନାହିଁ କି କୌଣସି ପ୍ରାର୍ଥୀଙ୍କ ନାମ ମଧ୍ୟ ଆସିନାହିଁ । ଏହାକୁ ନେଇ ନାମାଙ୍କନ ଭରିଥିବା ପ୍ରାର୍ଥୀ ସମବାୟ ଅଫିସ ସମ୍ମୁଖରେ ଲଗାଯାଇଥିବା ନୋଟିସ ବୋର୍ଡକୁ ନେଇ ପାଟି ତୁଣ୍ଡ କରିଥିଲେ । ନିର୍ବାଚନ ଅଧିକାରୀଙ୍କ ଏହି ଚଞ୍ଚକତାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଉଚିତ ତାଲିକା ପ୍ରସ୍ତୁତ ପାଇଁ ଦାବି କରିଥିଲେ । ଅନ୍ୟପଟେ ରବିବାର ଛୁଟିରେ ମଧ୍ୟ ନିର୍ବାଚନ ଥିବାରୁ ଅଫିସ ଖୋଲିବା କଥା, ହେଲେ ତାହା ନକରି ଅନ୍ୟ କେଉଁଠି ବସି ନିର୍ବାଚନ ଅଧିକାରୀ ସରକାରୀ କଳର ବଡ଼ବାବୁଙ୍କ ତତ୍ତ୍ବାବଧାନରେ ବସି ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଅଭିଯୋଗକାରୀ । ତେଣୁ ନିର୍ବାଚନର ସ୍ବଚ୍ଛତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ନିର୍ବାଚନ ଆୟୋଗ ପାଖରେ ଅଭିଯୋଗ କରିବା ସହିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।