ଡିଜିଟାଲ ଲାଇସେନ୍ସ ପଞ୍ଜୀକରଣକୁ ବିରୋଧ, ଜବାବ ରଖିଲା ବିଭାଗ ଭୁବନେଶ୍ବର: ଡିଜିଟାଲ ଲାଇସେନ୍ସ ଓ ଯାନବାହାନ ପଞ୍ଜୀକରଣ ବ୍ୟବସ୍ଥାକୁ ରାଷ୍ଟ୍ରୀୟ ସଡକ ସୁରକ୍ଷା ପରିଷଦର ସଦସ୍ୟଙ୍କ ବିରୋଧ। କେବଳ ଡିଜିଟାଲ ନୁହେଁ ଏଥର ଅଫଲାଇନରେ ଗାଡି ଚାଳକର ଡିଏଲ ଏବଂ ଆରସି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଦାବି । କେବଳ ସ୍ମାର୍ଟ କାର୍ଡ ନୁହେଁ ପ୍ରତ୍ୟେକ ଲାଇସେନ୍ସ ପ୍ରାପ୍ତ ଚାଳକଙ୍କ ଘରକୁ କାଗଜ ପତ୍ରର ହାର୍ଡ କପି ପଠାଇବାକୁ ଦାବି କରିଛନ୍ତି । ରାଜ୍ୟରେ ସଡ଼କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ପରିଷଦର ସଦସ୍ୟ ଡା. କମଲଜିତ ସିଂ ଶୋଇ।
ଅଭିଯୋଗ କରିଛନ୍ତି ଓଡିଶା ଭଳି ରାଜ୍ୟରେ ପ୍ରତିଦିନ ଏକ କୋଟି ଗାଡି ରାସ୍ତାରେ ଚାଲୁଛି। ଗାଡି ନହେଲେ ଲୋକ ଘରୁ ପଦାକୁ ବାହାରୁନାହାନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ 2021 ନିୟମରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ଡା. କମଲଜିତ। 2021 ନିୟମ ଅନୁସାରେ ଯେ କେହି ବ୍ୟକ୍ତି ନୂଆ ଗାଡି ଏବଂ ନୂଆ ଡିଏଲ କଲେ ସେମାନଙ୍କୁ ଆଉ ସ୍ମାର୍ଟ କାର୍ଡ ମିଳିବ ନାହିଁ। ମୋବାଇଲକୁ ଯାଉଥିବା ମେସେଜର ଏକ ପ୍ରିଣ୍ଟ ଆଉଟ କାଢି ଲାମିନେସନ କରିବାକୁ ପଡୁଛି। ଏବେ ବି ଦେଶରେ ନେଟୱର୍କର ଅଭାବ ମଧ୍ୟ ରହୁଛି। ସଠିକ ଭାବରେ ଇଣ୍ଟରନେଟ ମଧ୍ୟ ଭଲ ଭାବରେ ଚାଲୁ ନାହିଁ । ତେଣୁ ମୋବାଇଲରେ ଏହାକୁ କାଢି ଦେଖାଇବା ଅସମ୍ଭବ। ସେପଟେ ଗ୍ରାମାଞ୍ଚଳ ଗୁଡିକରେ ନାହିଁ ସ୍ମାର୍ଟ ଫୋନ । ତେଣୁ ଗାଡି ଚାଳକ ମାନଙ୍କୁ ରାଜ୍ୟ ସରକାର ସ୍ମାର୍ଟ କାର୍ଡ ପରିବର୍ତ୍ତେ ହାର୍ଡ କପି ଦେବାକୁ ଅନୁରୋଧ କରିଛନ୍ତି ସେ ।
ସୂଚନା ଅନୁଯାୟୀ, ଏବେ ଡିଏଲ ଏବଂ ଆରସି ଲାଇସେନ୍ସ ଚିପ ଅଥବା ସ୍ମାର୍ଟ କାର୍ଡ ନଥାଇ କେବଳ ଲାମିନେଟେଡ କାର୍ଡ ଆକାରରେ ଦିଆଯାଉଛି। ଯେଉଁଥିରେ ଆବେଦନକାରୀ ଆବେଦନ ଫର୍ମ ପୂରଣ କରିବା ସମୟରେ ଧାର୍ଯ୍ୟ ଫି ଦେଇସାରିଛନ୍ତି। ତେଣୁ 2021 ବିଜ୍ଞପ୍ତିର ତ୍ରୁଟିପୂର୍ଣ୍ଣ ଭାବରେ କାର୍ଯ୍ୟ କାରୀ କରାଯାଉଛି।
ସେପଟେ ଏହି ପ୍ରସଙ୍ଗରେ ଭୁବନେଶ୍ବର ଆରଟିଓ ପକ୍ଷରୁ କୁହାଯାଇଛି ଯେ ପରିବହନ ବିଭାଗ ଶୀଘ୍ର LL ଏବଂ DL ସେବା ପାଇବା ପାଇଁ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଧାର ଇଣ୍ଟିଗ୍ରେଟେଡ ଫେସଲେସ ସେବା ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ ପ୍ରଦାନ ବାଧ୍ୟତାମୂଳକ ଅଟେ । ସେହିଭଳି, ଆରଟିଓ ସେଣ୍ଟ୍ରିକ ପ୍ରୟୋଗରେ ମେଡିକାଲ ସାର୍ଟିଫିକେଟର ଅନଲାଇନ ଉତ୍ପାଦନ ଆଗାମୀ ସମୟରେ ବାଧ୍ୟତାମୂଳକ କରାଯିବ । ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା ମୋଟର ଯାନ ଅଧିନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଯାଉଥିବା 40 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମେଡିକାଲ ସାର୍ଟିଫିକେଟ ବାଧ୍ୟତାମୂଳକ ଅଟେ। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କିମ୍ବା ଏହାର ନବୀକରଣ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଡାକ୍ତରୀ ପ୍ରମାଣପତ୍ର ଏହାକୁ ମାନୁଆଲ କରିବା ପରିବର୍ତ୍ତେ 1 (ଏ) ଫର୍ମରେ ଉପସ୍ଥାପିତ କରାଯାଇପାରିବ ।
ସାରଥୀ ପୋର୍ଟାଲରେ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି ଯେଉଁଠାରେ ପୋର୍ଟାଲରେ ପଞ୍ଜୀକୃତ ଡାକ୍ତରମାନେ ମେଡିକାଲ ସାର୍ଟିଫିକେଟ ସିଧାସଳଖ ଦେଇପାରିବେ ଯାହା ମେଡିକାଲ ସାର୍ଟିଫିକେଟ ଦାଖଲ ପ୍ରକ୍ରିୟା ଏବଂ ମାନୁଆଲ ମୋଡରେ ଯାଞ୍ଚ ପ୍ରକ୍ରିୟାକୁ ଦୂର କରିଥାଏ ।
ଏହି ପରିପ୍ରେକ୍ଷୀରେ ଜେସିଟି ଦୀପ୍ତି ରଂଜନ ପାତ୍ର କହିଛନ୍ତି, “MBBS ଡିଗ୍ରୀ କିମ୍ବା ତଦୁର୍ଦ୍ଧ୍ୱ ଥିବା କୌଣସି ଡାକ୍ତର ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଯୋଗ୍ୟ ଅଟନ୍ତି । ଡାକ୍ତରଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ଅଟେ। ” ସେ ଆହୁରି ମଧ୍ୟ କହିଛନ୍ତି, “ଏହା ନିଶ୍ଚିତ କରିବ ଯେ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପଲୋଡ କରିପାରିବେ ନାହିଁ । ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ନାହିଁ । ସମ୍ପୂର୍ଣ୍ଣ ସିଷ୍ଟମକୁ ସ୍ୱଚ୍ଛ କରିବା ପାଇଁ ପୋର୍ଟାଲ ଉନ୍ମୋଚିତ ହୋଇଛି ଯେଉଁଠାରେ ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ। ”ଯେଉଁ ଡାକ୍ତରମାନେ ପୋର୍ଟାଲ ମାଧ୍ୟମରେ ମେଡିକାଲ ସାର୍ଟିଫିକେଟ ଦେବାକୁ ସ୍ୱେଚ୍ଛାସେବୀ ହେବେ ସେମାନଙ୍କୁ ଆଇଡି ଏବଂ ପାସୱାର୍ଡ ପ୍ରଦାନ କରାଯିବ । ସେମାନଙ୍କୁ ସାରଥୀ ପୋର୍ଟାଲରେ ଆବେଦନକାରୀଙ୍କ ପ୍ରମାଣପତ୍ର electronically ଅପଲୋଡ କରିବାକୁ ପଡିବ ।
ଇଟିଭି ଭାରତ, ଭୁବନେଶ୍ବର