ଭୁବନେଶ୍ବର: ଓଡିଶାରେ ଜାତିଭିତ୍ତିକ ଜନଗଣନା ନେଇ ଜୋର ଧରିଲା ଦାବି । ସୋମବାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରାଯିବା ପାଇଁ ଦାବି କରିଛନ୍ତି । ଯେତେବେଳେ କି ବିହାର ସରକାର ଜାତିଭିତ୍ତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ତାଙ୍କ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଶେଷ ହେଉଛି ବୋଲି ପ୍ରକାଶ କରିଛନ୍ତି, ତେବେ ଓଡ଼ିଶାର ଶାସକ ବିଜୁ ଜନତା ଦଳ କେବେ ଜନଗଣନା ପ୍ରକ୍ରିୟା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଆମ ଜନସଂଖ୍ୟାରେ ସଂପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ର ସ୍ପଷ୍ଟତା ପାଇଁ ପାଇବାକୁ ଆମ କଂଗ୍ରେସ ଦଳ ଦୀର୍ଘ ଦିନରୁ ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହି ପ୍ରସଙ୍ଗରେ କେବଳ କଥାବାର୍ତ୍ତା କରି ଚୁପ୍ ରହୁଛନ୍ତି କାହିଁକି ? ଯଦି ବିଜେଡ଼ି ସରକାର ଜାତିଭିତ୍ତିକ ଜନଗଣନା କରିବାରେ କୌଣସି ଆଗ୍ରହ ଦେଖାଏ ନାହିଁ ତେବେ ୨୦୨୪ ମସିହାରେ କଂଗ୍ରେସ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ତୁରନ୍ତ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଶରତ ପଟ୍ଟନାୟକ ଅତି ଦୃଢ଼ତାର ସହ କହିଛନ୍ତି ।
ଜାତିଭିତ୍ତିକ ସର୍ଭେ ପାଇଁ ଏକ ସଂକଳ୍ପ ପାରିତ କରିବାକୁ ଓଡ଼ିଶା ବିଧାନସଭାରେ ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଓପିସିସି ସଭାପତି ଦାବି କରିଛନ୍ତି । ସେ କହିଛନ୍ତି ନବୀନ ସରକାର ତୁରନ୍ତ ଓଡ଼ିଶା ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇ ବିହାର ଏବଂ ରାଜସ୍ଥାନ ଶୈଳୀରେ ଜାତିଭିତ୍ତିକ ସର୍ଭେ କରିବାକୁ ସର୍ବସମ୍ମତି କ୍ରମେ ବିଧେୟକ ପାରିତ କରାନ୍ତୁ । ବିହାର ସରକାର ଜାତିଗଣନା ରିର୍ପୋଟ ଗାନ୍ଧୀ ଜୟନ୍ତୀରେ ପ୍ରକାଶ କରିଥିଲେ । ତତ୍ଦ୍ୱାରା ବିହାର ସରକାର ବିଭିନ୍ନ ଜାତି ଓ ବର୍ଗଙ୍କର ଆର୍ଥିକସ୍ଥିତି ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରିଲେ । ଯଦ୍ବାରା କି ନିର୍ଦ୍ଧିଷ୍ଟ ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ପାରିବ । ଏହା ସରକାରଙ୍କୁ ସମସ୍ତ ଜାତିର ବିକାଶ ପାଇଁ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ଶରତ କହିଛନ୍ତି ।