ଭୁବନେଶ୍ବର:ଅନ୍ଧାର ରାତିକୁ ଚିରି ଟ୍ରାକରେ ଗଡୁଥିଲା ଟ୍ରେନ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ସମୟ ଗଡୁଥିଲା ରେଳ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ ପାଖଉଥିଲା । ହେଲେ ଅଚାନକ ସବୁ କିଛି ଛାରଖାର ହୋଇଯାଇଥିଲା । ବଞ୍ଚାଅ ବଞ୍ଚାଅ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ଦିନ ଜୁନ 2 ତାରିଖ ଶୁକ୍ରବାର । ସମୟ ରାତି 7ଟା । ସ୍ଥାନ ବାଲେଶ୍ବର ବାହାନଗା ରେଳ ଷ୍ଟେସନ । ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇଥିଲା । ଏହି ସମୟରେ ଟ୍ରାକରେ ଛିଟିକି ପଡିଥିବା କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ । ଆର୍ତ୍ତନାଦ ଚିତ୍କାରରେ ଫାଟି ପଡିଥିଲା ଅଞ୍ଚଳ । ରକ୍ତରେ ଭିଜିଥିଲା ଟ୍ରାକ ଆଉ ଲୁହରେ ଭିଜିଥିବା ଆଖି ।
ଆଜି ସେହି ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଛି । ମାସେ ପରେ ବି ଲୋକଙ୍କ ମନରୁ ସେ ଦିନର ଭୟାନକ ଦୃଶ୍ୟ ମନରୁ ଲିଭି ନାହିଁ । ସେ ଦିନର ଦୁର୍ଘଟଣାକୁ ଅତି ପାଖରୁ ଦେଖିଥିବା ଓ ଉଦ୍ଧାର କରିଥିବା ଲୋକ ସେ କାଳରାତିକୁ ମନେ ପକାଇଲା ବେଳେ ସେମାନଙ୍କ ଆଖିରେ ଲୁହ ଜକେଇ ଆସୁଛି । ଅସୁମାରୀ ସ୍ବପ୍ନ ଭାଙ୍ଗି ଦେଇଥିଲା ବାଲେଶ୍ବର ଟ୍ରେନ ଦୁର୍ଘଟଣା । 293 ଜୀବନ ନେଇଥିଲା କରମଣ୍ଡଳ । ବିଶ୍ବକୁ ସ୍ତବ୍ଧ କରିଥିଲା ଅଶୁଭ ଶୁକ୍ରବାରର ସେ କଳାରାତି ।
ଉଦାହରଣ ସୃଷ୍ଟି କରିଥିଲେ ବାଲେଶ୍ବରବାସୀ:ଆଜି ବି ମରିନି ମାନବିକତା । ବାଲେଶ୍ବର ଟ୍ରେନ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ବାଲେଶ୍ବରବାସୀ । ଯିଏ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ । ବିଛାଡି ହୋଇ ପଡିଥିବା ଟ୍ରେନ ବଗିରୁ ଲୋକଙ୍କୁ ଉଦ୍ଧାର କରିଥିଲେ ବାହାନଗାବାସୀ । କିଏ ଆହତଙ୍କୁ ପାଣି ଦେଉଥାଏ ତ କିଏ ସେମାନଙ୍କୁ ଆଉଁସି ଦେଉଥାଏ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତ ଦେବାକୁ ଲୋକଙ୍କ ଲାଇନ ଲାଗିଥିଲା । ବିଳମ୍ବିତ ରାତି ଯାଏ ଆହତଙ୍କୁ ରକ୍ତଦାନ ପାଇଁ ଧାଡିରେ ଅପେକ୍ଷା କରିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀଯେଉଁ ଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।
ଛୁଟିଥିଲା ନେତାମନ୍ତ୍ରୀଙ୍କ ସୁଅ:ଦୁର୍ଘଟଣା ହେବା କ୍ଷଣି ଘଟଣାସ୍ଥଳକୁ ବିପର୍ଯ୍ୟୟ ମନ୍ତ୍ରୀ ଓ ଏସଆରସି ଯାଇଥିଲେ । ରାତି ପାହୁ ପାହୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ସହ ଆହତଙ୍କୁ ଭେଟିଥିଲେ । ରାଜ୍ୟପାଳ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା ଗସ୍ତ କରି ଆହତଙ୍କୁ ଭେଟିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାହାନଗା ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଭୟଙ୍କର ଦୁର୍ଘଟଣା ନେଇ ବିଶ୍ବରୁ ଛୁଟିଥିଲା ଶୋକ ବାର୍ତ୍ତା ।